ହାଇଦ୍ରାବାଦ:ଗତ ମାସରେ ବାନ୍ଦ୍ରାସ୍ଥିତ ବାସଭବନରେ ଛୁରାମାଡ଼ ଘଟଣା ପରେ ସୋମବାର ବଲିଉଡ ଅଭିନେତା ସୈଫ ଅଲି ଖାନ ପ୍ରଥମ ଥର ପାଇଁ ସର୍ବସାଧାରଣ ସମ୍ମୁଖକୁ ଆସିଛନ୍ତି । ୫୪ ବର୍ଷୀୟ ଷ୍ଟାର ନେଟଫ୍ଲିକ୍ସର ସ୍ଲେଟ୍ ଘୋଷଣା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଯେଉଁଠାରେ ସେ ତାଙ୍କର ଆଗାମୀ ଫିଲ୍ମ 'ଜ୍ୱେଲ ଥିଫ' ଘୋଷଣା କରିଛନ୍ତି । ଛୁରାମାଡ଼ ଘଟଣା ପରେ ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର ଘୋଷଣା । ଅସ୍ତ୍ରୋପଚାର ଏବଂ ସୁସ୍ଥତା ପରେ ତାଙ୍କର ଏହା ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ ।
ଫିଲ୍ମରେ ଚୋର ଅଟନ୍ତି ସୈଫ ଅଲି ଖାନ
'ଜ୍ୱେଲ ଥିଫ' ର ଟିଜର ନେଟଫ୍ଲିକ୍ସ ଇଭେଣ୍ଟ ସମୟରେ ଲଞ୍ଚ କରାଯାଇଥିଲା । ଟିଜରଟି ବହୁତ ଆଶାଜନକ । ଏଥିରେ ସୈଫ୍ ଜୟଦୀପ ଅହଲାୱତଙ୍କ ସହ ନଜର ଆସିବେ । ଟିଜରରେ ଜୟଦୀପଙ୍କୁ ଜଣେ ଶକ୍ତିଶାଳୀ ଅପରାଧୀ ଭାବରେ ପରିଚୟ ଦିଆଯାଇଛି ଯିଏ ବିଶ୍ୱର ସବୁଠାରୁ ଲୁଚି ରହିଥିବା ହୀରା ଆଫ୍ରିକୀୟ ରେଡ୍ ସନ୍ ଚୋରି କରିବା ପାଇଁ ଜଣେ ଚୋରକୁ ନିଯୁକ୍ତି ଦିଏ । ଏହି ଚୋର ଆଉ କେହି ନୁହେଁ ବରଂ ସୈଫ୍ ଅଲି । ସୈଫ୍ ଏହି ଫିଲ୍ମରେ ଜଣେ ଚୋର ଭୂମିକାରେ ଅଭିନୟ କରିଛନ୍ତି ଯିଏ ୫୦୦ କୋଟି ଟଙ୍କାର ଆଫ୍ରିକୀୟ ରେଡ୍ ସନ୍ ହୀରା ଚୋରି କରିବାକୁ ଚେଷ୍ଟା କରେ ।