ଭୁବନେଶ୍ୱର:ଯାଯାବର 2.0 ପରେ ପୁଣି ପରଦାରେ ଧମାକା କରିବାକୁ ଯାଉଛନ୍ତି ଓଲିଉଡ ଅଭିନେତା ପ୍ରସନ୍ନଜିତ ମହାପାତ୍ର । ଫିଲ୍ମ 'ଆଞ୍ଜେଲ' ସହ ସେ କମବ୍ୟାକ କରିବାକୁ ଯାଉଛନ୍ତି । ଫିଲ୍ମର ମୋସନ ପୋଷ୍ଟର ରିଲିଜ କରି ଏହାର ରିଲିଜ ତାରିଖ ଘୋଷଣା କରିଛନ୍ତି ନିର୍ମାତା । ଭୁବନେଶ୍ୱର ପ୍ରେସ୍ କ୍ଳବ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଶୁଭମ୍ ସିନେ ପ୍ରଡ଼କସନ୍ ପ୍ରଯୋଜିତ ପ୍ରଥମ ଓଡ଼ିଆ ଫିଲ୍ମ "ଆଞ୍ଜେଲ"ର ମୋସନ୍ ପୋଷ୍ଟର ରିଲିଜ ହୋଇଛି । ଯାହା 2025 ନୂଆବର୍ଷରେ ପରଦାକୁ ଆସିବ ।
"ଆଞ୍ଜେଲ" ଷ୍ଟାରକାଷ୍ଟ
ସଂଘମିତ୍ରା ବେହେରାଙ୍କ ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର "ଆଞ୍ଜେଲ" ର କାହାଣୀ ଲେଖିଛନ୍ତି ଜିତେନ୍ଦ୍ରୀୟ ପ୍ରଧାନ ଯିଏ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହି ଫିଲ୍ମରେ ମୁଖ୍ୟ ଅଭିନୟରେ ନାୟକ ପାର୍ଥସାରଥୀ ରାୟ, ନାୟିକା କାଭ୍ୟା କିରଣ ଏବଂ ପ୍ରସନ୍ନଜିତ ମହାପାତ୍ର ନଜର ଆସିବେ । ଏଥିସହ ଅନ୍ୟାନ୍ୟ ଭୂମିକାରେ ଅମିତାଭ ପାତ୍ର, ଜିତେନ୍ଦ୍ରୀୟ ପ୍ରଧାନ, ସୃଜନ, ସୂର୍ଯ୍ୟକାନ୍ତ ଦଳେଇ, ଟୁକୁନ ଭଳି ଅନେକ କଳାକାର ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ବିଶେଷ ଭୂମିକାରେ ଶିଶୁ କଳାକାର ଭାବେ ସାଇ ତ୍ରିଷ୍ଣା ଯିଏ କି ଆଞ୍ଜେଲ ଚରିତ୍ରରେ ଅଭିନୟ କରିଛନ୍ତି । ସେହିପରି ଏଥିରେ କାର୍ଯ୍ୟନିର୍ବାହୀ ପ୍ରଯୋଜକ ବିକାଶ ଚନ୍ଦ୍ର ପରିଡା, ଚିତ୍ରତ୍ତୋଳନ ଦାୟିତ୍ୱରେ ଯୁଧିଷ୍ଠିର ବେହେରା ଓ ସମ୍ପାଦନାରେ ଭୀର କୁମାର ନନ୍ଦ। ସଙ୍ଗୀତ ନିର୍ଦ୍ଦେଶନା ଏବଂ ପ୍ରଚ୍ଛଦପଟ ସଙ୍ଗୀତ ଅଶେଷ ଦାସ । ୨୦୨୫ ବର୍ଷ ଆରମ୍ଭରେ ଶୁଭମ ପ୍ରଡ଼କସନ୍ ଓଡ଼ିଆ ଦର୍ଶକଙ୍କୁ ତା'ର ପ୍ରଥମ ଭେଟି ଦେବ ବୋଲି ପ୍ରଯୋଜନା ସଂସ୍ଥା କହିଛି ।
ଏହା ମଧ୍ୟ ପଢନ୍ତୁ:ବଡପରଦାକୁ ଆସିବ ଓଡ଼ିଆ ଚଳଚିତ୍ର ଯାଯାବର ୨.୦, ୯୦ ଦଶକର ଝଲକ ପାଇବେ ଦର୍ଶକ