ହାଇଦ୍ରାବାଦ: ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା କୁମାର ସାହାନିଙ୍କର ଦେହାନ୍ତ ହୋଇଛି । ଗତକାଲି (ଫେବୃଆରୀ ୨୪) ରାତିରେ ବାର୍ଦ୍ଧକ୍ୟ ଜନିତ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ କୁମାର ସାହାନି ଅସୁସ୍ଥ ଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ କୋଲକାତାର ଏକ ଡାକ୍ତରଖାନାରେ ନିର୍ଦ୍ଦେଶକ ଆଖି ବୁଜିଛନ୍ତି । ତାଙ୍କ ମୃତ୍ୟୁ ନେଇ ଅଭିନେତ୍ରୀ ମୀତା ବୈଷ୍ଣବ ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ କୁମାର ସାହାନିଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ତେବେ ତାଙ୍କ ବିୟୋଗରେ ପରିବାରର ଶୋକର ଛାୟା ଖେଳିଯାଇଥିବା ବେଳେ ଇଣ୍ଡଷ୍ଟ୍ରିର ତମାମ ସେଲିବ୍ରିଟି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
'ବାର ବାର ବାରି', 'ଖ୍ୟାଲ ଗାଥା' ଏବଂ 'କସ୍ୱା'ରେ କୁମାର ସାହାନିଙ୍କଙ୍କ ସହ କାମ କରିଥିବା ମୀତା ବୈଷ୍ଣବ କହିଛନ୍ତି, "ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ । ବୟସ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ ସେ । ଫଳରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯିବାରୁ ତାଙ୍କୁ କୋଲକାତାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଇପାରିଲେ ନାହିଁ । ସେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ସେ ଡାକ୍ତରଖାନାରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗ ଇଣ୍ଡଷ୍ଟ୍ରି ପାଇଁ ଏକ ଅପୂରଣୀୟ କ୍ଷତି ।''
କୁମାର ସାହାନି ୧୯୪୦ ମସିହାରେ ଅଖଣ୍ଡ ଭାରତ ସିନ୍ଧର ଲାର୍କାନାଠାରେ ଜନ୍ମଗ୍ରହଣ କରିଥିଲେ । 1947 ମସିହାରେ ଭାରତ ଏବଂ ପାକିସ୍ତାନ ବିଭାଜନ ପରେ ସାହାନିଙ୍କ ପରିବାର ମୁମ୍ବାଇ ଆସିଥିଲେ । ସାହାନି ତାଙ୍କ ପତ୍ନୀ ଏବଂ ଦୁଇ ଝିଅଙ୍କ ସହ ବସବାସ କରୁଥିଲେ । ସାହାନି ଭାରତୀୟ ସିନେମାର ଅନ୍ୟ ଏକ ବଡ଼ ବ୍ୟକ୍ତିତ୍ୱ ମଣି କୌଲଙ୍କ ସହ ପୁନେର ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (FTII) ରେ ଅଧ୍ୟୟନ କରିଥିଲେ । 1972 ମସିହାରେ ହିନ୍ଦୀ ଲେଖକ ନିର୍ମଳ ଭର୍ମାଙ୍କ କ୍ଷୁଦ୍ର କାହାଣୀ ଉପରେ ଆଧାରିତ ଫିଲ୍ମ 'ମାୟା ଦର୍ପଣ' ସହ ସାହାନି ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ଏହି ଚଳଚ୍ଚିତ୍ରଟି ଲୋକଙ୍କ ମନ ଜିତିବା ସହ ହିନ୍ଦୀରେ ଶ୍ରେଷ୍ଠ ଫିଚର ଫିଲ୍ମ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା ।
ଏହା ମଧ୍ୟ ପଢନ୍ତୁ:୧୯ ବର୍ଷରେ ଆଖି ବୁଜିଲେ 'ଦଙ୍ଗଲ' ଅଭିନେତ୍ରୀ ସୁହାନୀ ଭଟ୍ଟନାଗର
କୁମାର ସାହାନି କେବଳ ଜାତୀୟ ପୁରସ୍କାର ଜିତି ନାହାଁନ୍ତି ବରଂ ବିଭିନ୍ନ ସମୟରେ ୩ଟି ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଛନ୍ତି । 1973ରେ ମୁକ୍ତିଲାଭ କରିଥିବା 'ମାୟା ଦର୍ପଣ', 1990ରେ ମୁକ୍ତିଲାଭ କରିଥିବା 'ଖ୍ୟାଲ ଗାଥା' ଏବଂ 1991ରେ ମୁକ୍ତିଲାଭ କରିଥିବା 'କସ୍ୱା' ପାଇଁ ସେ ଫିଲ୍ମଫେୟାର ପୁରସ୍କାର ଜିତିଥିଲେ । 2004 ପରେ, ସେ ଚଳଚ୍ଚିତ୍ର ନିର୍ମାଣ ଛାଡି ଲେଖିବା ଏବଂ ଶିକ୍ଷାଦାନ ଆରମ୍ଭ କରିଥିଲେ ।