ହାଇଦ୍ରାବାଦ:ଅଡୁଆରେ ଛନ୍ଦି ହେଲା ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ 'କୁଲି' । ଫିଲ୍ମର ଗୀତ କପିରାଇଟ ନେଇ ଲିଗାଲ ନୋଟିସ ମିଳିଛି । ସାଉଥର ଭେଟେରାନ୍ ସଂଗୀତକାର ଇଲାୟାରାଜା 'କୁଲି' ଟିମକୁ ଏକ ଲିଗାଲ ନୋଟିସ୍ ପଠାଇଛନ୍ତି ।
ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ 'କୁଲି' ଟିଜର ମୁକ୍ତିଲାଭ କରିଥିଲା । ରଜନୀକାନ୍ତଙ୍କ ସ୍ୱାଗ ଏବଂ ଆକ୍ସନରେ ଏହି ଟିଜରରେ ଦମଦାର ହୋଇଥିବା ବେଳେ ଏହାର ପୃଷ୍ଠଭୂମିରେ ବାଜୁଥିବା ସଙ୍ଗୀତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ରିପୋର୍ଟ ଅନୁଯାୟୀ, କୁଲିର ଟିଜରରେ ଇଲାୟାରାଜାଙ୍କ ଗୀତ 'ୱା ୱା ପାଖମ ୱା'କୁ ରିକ୍ରିଏଟ କରିଛନ୍ତି । ଯାହାକୁ ନେଇ କପିରାଇଟ୍ ଅଭିଯୋଗରେ ଇଲାୟାରାଜା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କୁଲି ଟିମକୁ ଲିଗାଲ ନୋଟିସ୍ ପଠାଇଛନ୍ତି ।
କପିରାଇଟ୍ ଆକ୍ଟ ୧୯୫୭ ଅନୁଯାୟୀ ଇଲାୟାରାଜା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମୋର ଅନୁମତି ବିନା ଏହି ସଙ୍ଗୀତ ବ୍ୟବହାର କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ଇଲାୟାରାଜା ଏବଂ ଏହି ପ୍ରସଙ୍ଗରେ କୁଲି ନିର୍ଦ୍ଦେଶକ ଲୋକେଶ କନଗରାଜ କାହିଁକି ଏପରି କରିଛନ୍ତି ତାହାର ଉତ୍ତର ମଧ୍ୟ ସେ ମାଗିଛନ୍ତି । ତେବେ ଲୋକେଶ କିମ୍ୱା କୁଲି ଟିମ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।