ହାଇଦ୍ରାବାଦ:ବିଗ ବସ ୧୭ ବିଜେତା ତଥା ଷ୍ଟାଣ୍ଡଅପ୍ ହାସ୍ୟ ଅଭିନେତା ମୁନାୱାର ଫାରୁକି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥତା କାରଣରୁ ମେ ୨୪ ଗତକାଲି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୁନାୱରଙ୍କ ଘନିଷ୍ଠ ବନ୍ଧୁ ନିତିନ ମେଙ୍ଗାନି ସୋସିଆଲ ମିଡିଆରେ ହସ୍ପିଟାଲରୁ ତାଙ୍କର ଏକ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି । ଫଟୋରେ ଷ୍ଟାଣ୍ଡଅପ୍ ହାସ୍ୟ ଅଭିନେତା ଡାକ୍ତରଖାନା ଶଯ୍ୟାରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାର ନଜର ଆସିଛନ୍ତି । ମୁନାୱରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜାଣିବା ପରେ ଫ୍ୟାନ୍ସ ଚିନ୍ତିତ ହେବା ସହ ତାଙ୍କର ଶୀଘ୍ର ସୁସ୍ଥତା କାମନା କରିଛନ୍ତି ।
ଇନଷ୍ଟାଗ୍ରାମରେ ନିତିନ ମେଙ୍ଗାନୀଙ୍କ ଦ୍ୱାରା ସେୟାର କରାଯାଇଥିବା ଫଟୋରେ ମୁନାୱାର ଫାରୁକିଙ୍କ ହାତରେ ଆଇବି ଡ୍ରିପ ଲଗାଯାଇଥିବା ଦେଖିବାକୁ ମିଳିଛି । ଫଟୋ ସେୟାର କରି ସେ ଲେଖିଛନ୍ତି, ''ମୋର ଭାଇର ଶୀଘ୍ର ଆରୋଗ୍ୟ ପାଇଁ ମୁଁ କାମନା କରୁଛି ।'' ତାଙ୍କ ଅସୁସ୍ଥତାର କାରଣ ଜଣାପଡିନଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତିତ ହୋଇପଡିଛନ୍ତି । ସୂଚନା ଥାଉ କି,ଷ୍ଟାଣ୍ଡଅପ୍ ହାସ୍ୟ ଅଭିନେତା ଡାକ୍ତରଖାନାରେ ଭର୍ତ୍ତି ହେବା ପ୍ରଥମ ଥର ନୁହେଁ । ଗତ ମାସରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଥିଲା । ସେ ପେଟ ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇଥିଲେ । ଯେଉଁଥିପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।