ଓଡିଶା

odisha

ଗର୍ଭଗୃହରେ ଟେଣ୍ଟରେ ଥିବା ରାମଲାଲା ବିରାଜିତ, ଏକାଥରେ ୨ଟି ପ୍ରତିମାକୁ ଦର୍ଶନ କରି ଆନନ୍ଦିତ ଭକ୍ତ

Two statues of Lord Ram: ଅଯୋଧ୍ୟା ରାମ ମନ୍ଦିରରେ ଭକ୍ତ ଗୋଟିଏ ନୁହେଁ, ଦୁଇଟି ରାମଙ୍କ ପ୍ରତିମାକୁ କରୁଛନ୍ତି ଦର୍ଶନ । ଜାଣନ୍ତୁ ବିସ୍ତୃତ ଭାବରେ....

By ETV Bharat Odisha Team

Published : Jan 23, 2024, 8:45 PM IST

Published : Jan 23, 2024, 8:45 PM IST

Two statues of Lord Ram
Two statues of Lord Ram

ଅଯୋଧ୍ୟା:ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ଭକ୍ତମାନେ ଗୋଟିଏ ନୁହେଁ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଦୁଇଟି ପ୍ରତିମାକୁ ଦର୍ଶନ କରୁଛନ୍ତି । ଗତକାଲି ନବ ନିର୍ମିତ ରାମ ମନ୍ଦିରରେ ପ୍ରଭୁ ରାମଚନ୍ଦ୍ରଙ୍କ ନୂଆ ଶ୍ରୀବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ସହିତ ରାମ ଜନ୍ମଭୂମି ପରିସରରେ ବର୍ଷ ବର୍ଷ ଧରି ବିରାଜମାନ କରିଥିବା ରାମଲାଲାଙ୍କ ପ୍ରାଚୀନ ପ୍ରତିମାକୁ ମଧ୍ୟ ଗର୍ଭଗୃହରେ ସ୍ଥାପିତ କରାଯାଇଛି । ୧୯୪୯ ମସିହା ଡିସେମ୍ବର ୨୨ ତାରିଖରେ ବିବାଦୀୟ ସ୍ଥାନରେ ପ୍ରକଟ ହୋଇଥିବା ରାମଲାଲାଙ୍କ ବିଗ୍ରହକୁ ସେବେଠାରୁ ଏବେ ପର୍ଯ୍ୟନ୍ତ ପ୍ରତିଦିନ ପୂଜାର୍ଚ୍ଚନା କରାଯାଉଛି ।

ଗର୍ଭଗୃହରେ ବିରାଜିଲେ ରାମଲାଲାଙ୍କ ପ୍ରାଚୀନ ପ୍ରତିମା:-ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଲାଗି ରାମଲାଲାଙ୍କ ୫୧ ଇଞ୍ଚର ନୂଆ ପ୍ରତିମା ଗଢାଯାଇଥିଲା । ଏହି ସମୟରେ ପ୍ରଶ୍ନ ଉଠିଥିଲା ଯେ ରାମଲାଲାଙ୍କ ପୁରାତନ ପ୍ରତିମାକୁ କେଉଁଠାରେ ସ୍ଥାପିତ କରାଯିବ । ତେବେ ବର୍ଷ ବର୍ଷ ଧରି ଟେଣ୍ଟ ହାଉସରେ ପୂଜା ପାଇ ଆସୁଥିବା ରାମଲାଲାଙ୍କ ପ୍ରାଚୀନ ପ୍ରତିମାକୁ ନବ ନିର୍ମିତ ମନ୍ଦିରର ଗର୍ଭଗୃହରେ ସ୍ଥାପିତ କରାଯିବା ନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ଏହି ୨ଟି ପ୍ରତିମୂର୍ତ୍ତି ମଧ୍ୟରୁ ଗୋଟିଏ ଚଳନ୍ତି ପ୍ରତିମା ଥିବା ବେଳେ ଅନ୍ୟଟି ଅଚଳନ୍ତି ପ୍ରତିମା ରହିଛନ୍ତି ।

ଏହା ବି ପଢନ୍ତୁ- ଦର୍ଶନ ଦେଲେ ରାମଲାଲା: ମନ୍ଦିରରେ ଅସମ୍ଭାଳ ଭିଡ଼, ଭକ୍ତିରେ ଭିଜିଲା ଅଯୋଧ୍ୟା

ବିଭିନ୍ନ ପର୍ବପର୍ବାଣି ସମୟରେ ଦୁଇଟି ପ୍ରତିମା ମଧ୍ୟରୁ ଗୋଟିଏ ପ୍ରତିମା ନଗର ଭ୍ରମଣ ଲାଗି ବାହାରିବେ । ରୀତିନୀତି ଅନୁଯାୟୀ ପବିତ୍ର ନଦୀଗୁଡ଼ିକରେ ସ୍ନାନ ସମୟରେ ଗର୍ଭଗୃହରୁ ବାହାରକୁ ବାହାରିଥାନ୍ତି ରାମଲାଲାଙ୍କ ପ୍ରତିମା । ଏଥିଲାଗି ଶ୍ରୀରାମଙ୍କ ଚଳନ୍ତି ପ୍ରତିମା ରୂପରେ ଗର୍ଭଗୃହରେ ପ୍ରାଚୀନ ମୂର୍ତ୍ତିକୁ ବିରାଜମାନ କରାଯାଇଛି । ଏବେ ରାମଲାଲାଙ୍କ ପୁରାତନ ଓ ନୂଆ ପ୍ରତିମୂର୍ତ୍ତି ମନ୍ଦିରରେ ବିରାଜମାନ ହୋଇଛନ୍ତି । ଭକ୍ତମାନେ ଉଭୟ ମୂର୍ତ୍ତିକୁ ଦର୍ଶନ କରି ଖୁବ ଆନନ୍ଦିତ ହୋଇଛନ୍ତି । ସେହିପରି ରାମଲାଲାଙ୍କ ଦର୍ଶନ ଲାଗି ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ରାମ ମନ୍ଦିର ଗେଟ ନିକଟରେ ଭିଡ଼ ଜମାଇଛନ୍ତି ।

ପ୍ରଥମ ମହଲାରେ ସ୍ଥାପିତ ହେବ ଧଳା ରଙ୍ଗର ପ୍ରତିମା: ପ୍ରଭୁ ରାମଙ୍କର ଦ୍ବିତୀୟ ପ୍ରତିମା ଧଳା ରଙ୍ଗର । ଏହି ପ୍ରତିମୂର୍ତ୍ତିରେ ପ୍ରଭୁ ରାମଙ୍କ ପାଦତଳେ ହନୁମାନ ଉପସ୍ଥିତ ଅଛନ୍ତି । ଏହାସହିତ ଭଗବାନ ବିଷ୍ଣୁଙ୍କ ଅବତାର ପ୍ରତିମୂର୍ତ୍ତିର ଚାରିପଟେ ସ୍ଥାପିତ କରାଯାଇଛି । ଏଥିରେ ଭଗବାନ ବିଷ୍ଣୁଙ୍କର 10 ଅବତାର ଦୃଶ୍ୟମାନ ହେଉଛି । ଏଥିମଧ୍ୟରେ 1- ମତ୍ସ୍ୟ, 2-କଚ୍ଛପ, 3- ବରାହ, 4- ନୃସିଂହ, 5- ବାମନ, 6- ପର୍ଶୁରାମ, 7- ଶ୍ରୀରାମ, 8- ଭଗବାନ ଶ୍ରୀକୃଷ୍ଣ, 9- ବୁଦ୍ଧ ଏବଂ ଦଶମ କଳକି ଅବତାର ।

ଶିଳ୍ପୀ ସତ୍ୟ ନାରାୟଣ ପାଣ୍ଡେ ନିର୍ମାଣ କରିଛନ୍ତି ଦ୍ବିତୀୟ ପ୍ରତିମା:-ରାମଲାଲାଙ୍କ ଦ୍ବିତୀୟ ପ୍ରତିମାଙ୍କ ଫଟୋ ମଧ୍ୟ ବର୍ତ୍ତମାନ ସାର୍ବଜନୀନ ହୋଇଛି । ଏହା ପ୍ରଥମ ମହଲାରେ ସ୍ଥାପିତ କରାଯିବ । ଏହି ପ୍ରତିମୂର୍ତ୍ତିକୁ ଶିଳ୍ପୀ ସତ୍ୟ ନାରାୟଣ ପାଣ୍ଡେ ଗଢିଛନ୍ତି । ଏହାକୁ ୩ଟି ପ୍ରତିମା ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଥିଲା ଯାହା ଗର୍ଭଗୃହରେ ସ୍ଥାପିତ ହେବାକୁ ତିଆରି କରାଯାଇଥିଲା । କର୍ଣ୍ଣାଟକର ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ବାରା ଗଢାଯାଇଥିବା ଶ୍ରୀରାମଙ୍କ ବାଲ୍ୟ ସ୍ବରୂପ ପ୍ରତିମାକୁ ଗର୍ଭଗୃହରେ ସ୍ଥାପିତ କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details