ନୂଆଦିଲ୍ଲୀ:2024 ସାଧାରଣ ନିର୍ବାଚନକୁ ମଝିରେ ଆଉ ଦୁଇ ମାସ ବାକି ଥିବାବେଳେ ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟରେ ଆସନ ବୁଝାମଣା କନ୍ଦଳ ମଧ୍ୟ ବଢିବାରେ ଲାଗିଛି । ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଏବଂ ପଞ୍ଜାବ ଓ ଦିଲ୍ଲୀରେ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲ ଏକାକୀ ସମସ୍ତ ସଂସଦୀୟ ଆସନରେ ଲଢିବା ନେଇ ଘୋଷଣା କରିଛନ୍ତି । ଏହିସବୁ କ୍ରମବିକାଶ ମଧ୍ୟରେ ସୋମବାର କଂଗ୍ରେସ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଏବଂ ଦଳର ସଂସଦୀୟ କମିଟି ସଭାନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପାର୍ଟିର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛନ୍ତି ।
ବିଶେଷ ଭାବେ ‘ଇଣ୍ଡିଆ’ ମେଣ୍ଟର ସହଯୋଗୀ ଦଳଙ୍କ ସହ ଆସନ ବୁଝାମଣା ପାଇଁ ପାର୍ଟି ଗଠନ କରିଥିବା 5 ଜଣିଆ ନ୍ୟାସନାଲ ଆଲାଇନ୍ସ କମିଟି ସଦସ୍ୟ ଓ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) କାର୍ଯ୍ୟାଳୟର କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ନିର୍ବାଚନ ପ୍ରସ୍ତୁତି ବିଷୟରେ ଆଲୋଚନା ହୋଇଛି । ଏହାସହ ମେଣ୍ଟ ସହଯୋଗୀ ଦଳଙ୍କ ସହ ଶୃଙ୍ଖଳିତ ଆସନ ବୁଝାମଣା ନେଇ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଥିବା ସୂଚନା ମିଳିଛି ।
ସୂଚନାନୁସାରେ, ଏହି ବୈଠକରେ ଏଆଇସିସି ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ ଓ ଦଳର ଜାତୀୟ କୋଷାଧ୍ୟକ୍ଷ ଅଜୟ ମାକେନ ଯୋଗ ଦେଇ ଲୋକସଭା ନିର୍ବାଚନର ପ୍ରସ୍ତୁତି ଓ ଇଣ୍ଡିଆ ମେଣ୍ଟର ସହଯୋଗୀ ପାର୍ଟିଙ୍କ ସହ ଆସନ ବୁଝାମଣା ନେଇ ଆଲୋଚନା କରିଥିଲେ । ସିଟ୍ ବଣ୍ଟନ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ଏବଂ ଖୁବଶୀଘ୍ର ଘୋଷଣା କରାଯିବା ନେଇ ଏହି ବୈଠକରେ ନିଷ୍ପତ୍ତି ହୋଇଛି । ଏହାପୂର୍ବରୁ କଂଗ୍ରେସ ରବିବାର ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି 20 ଜଣିଆ ନିର୍ବାଚନ କମିଟି ଗଠନ କରିଛି ।