ହାଇଦ୍ରାବାଦ:ସମୟ ବଦଳିବା ସାଙ୍ଗକୁ ସମ୍ପର୍କର ପରିଭାଷା ମଧ୍ୟ ବଦଳିବାରେ ଲାଗିଛି । ଦିନକୁ ଦିନ ସମ୍ପର୍କର ନୂଆ ଟ୍ରେଣ୍ଡ ସାମ୍ନାକୁ ଆସୁଛି । ଏବେ ଜାପାନରୁ ସାମ୍ନାକୁ ଆସିଛି ସମ୍ପର୍କର ନୂଆ ଟ୍ରେଣ୍ଡ 'ଫ୍ରେଣ୍ଡସିପ୍ ମ୍ୟାରେଜ' । ତେବେ କଣ ଏହି ସମ୍ପର୍କ ? ଏହା ବନ୍ଧୁତ୍ବ ଭଳି ସମ୍ପର୍କ ନା ଦମ୍ପତିଙ୍କ ମଧ୍ୟରେ ଯେପରି ସମ୍ପର୍କ ଥାଏ ସେପରି ସମ୍ପର୍କ ? ଏହା ଏବେ ଜାପାନରେ ଖୁବ ଲୋକପ୍ରିୟତା ହାସଲ କରିବାରେ ଲାଗିଛି । ବିଶେଷ କରି ଜାପାନର ଯୁବପିଢି ଏହି ନୂଆ ସମ୍ପର୍କକୁ ବେଶ ପସନ୍ଦ କରୁଛନ୍ତି ।
ଜାପାନରେ ଏହି ନୂଆ ଧରଣର ସମ୍ପର୍କ ଏତେ ମାତ୍ରାରେ ଲୋକପ୍ରିୟତା ହାସଲ କରିଛି ଯେ, ସେଠାକାର 124 ମିଲିୟନ ଜନସଂଖ୍ୟାର ଏକ ପ୍ରତିଶତ ଏହାକୁ ଚୟନ କରୁଛନ୍ତି । ଏହି ସମ୍ପର୍କକୁ ପସନ୍ଦ କରୁଥିବା ବର୍ଗଙ୍କ ମଧ୍ୟରେ ସମଲିଙ୍ଗୀ ମଧ୍ୟ ସାମିଲ ଅଛନ୍ତି, ଯିଏକି ପାରମ୍ପରିକ ବିବାହକୁ ନାପସନ୍ଦ କରନ୍ତି । ଏକ ରିପୋର୍ଟ ଅନୁସାରେ 2015 ଠାରୁ ଏଯାବତ ଜାପାନରେ ପ୍ରାୟ 500ରୁ ଊର୍ଦ୍ଧ୍ବ ଲୋକ ଏହି ପ୍ରକାରର ସମ୍ପର୍କ ଗଢିଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଦମ୍ପତି ସନ୍ତାନଙ୍କ ଲାଳନ ପାଳନ କରୁଥିବା ମଧ୍ୟ ଜଣାପଡ଼ିଛି ।
କଣ ଏହି 'ଫ୍ରେଣ୍ଡସିପ୍ ମ୍ୟାରେଜ୍' ? :-ଫ୍ରେଣ୍ଡସିପ ମ୍ୟାରେଜ ହେଉଛି ଏକପ୍ରକାରର ସମ୍ପର୍କ, ଯେଉଁଠି ଯୁବକ ଓ ଯୁବତୀ ଆଇନଗତ ଭାବେ ସ୍ବାମୀ-ସ୍ତ୍ରୀ ଭାବେ ସ୍ବୀକୃତି ପାଇଥାନ୍ତି । କିନ୍ତୁ ଉଭୟଙ୍କ ମଧ୍ୟରେ ନା ଥାଏ ପ୍ରେମ ନା ଥାଏ ଯୌନ ସମ୍ପର୍କ । ଏହି ସମ୍ପର୍କରେ ଥିବା ଜଣେ ଯୁବକ ଯୁବତୀ ଏକାଠି ବା ଅଲଗା ମଧ୍ୟ ରହିପାରନ୍ତି । ଯଦି ସେମାନେ ସନ୍ତାନ ସମ୍ପର୍କରେ ଚିନ୍ତା କରନ୍ତି, ତେବେ ଆର୍ଟିଫିସିଆଲ ବିକଳ୍ପକୁ ଆପଣାଇପାରିବେ । ଏହି ସମ୍ପର୍କରେ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ରୋମାଣ୍ଟିକ ସମ୍ପର୍କ ମଧ୍ୟ ସୃଷ୍ଟି କରିପାରିବେ । ହେଲେ ଏଥିଲାଗି ଫ୍ରେଣ୍ଡସିପ ମ୍ୟାରେଜର ଦୁଇ ପାର୍ଟନରଙ୍କ ମଧ୍ୟରେ ସହମତି ଥିବା ଆବଶ୍ୟକ ।