ଥିରୁଅନନ୍ତପୁରମ:କେରଳର ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସମ୍ପାଦକ ରଞ୍ଜିତ ଶ୍ରୀନିବାସଙ୍କୁ ହତ୍ୟା ଘଟଣାରେ ଦୀର୍ଘ 2 ବର୍ଷ ପରେ ତାଙ୍କ ପରିବାରକୁ ନ୍ୟାୟ ମିଳିଛି । 15ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ସମସ୍ତ ଦୋଷୀ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (PFI) ଏବଂ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ (SDPI)ର ସଦସ୍ୟ ରହିଥିବା ଜଣାପଡିଛି । 2021 ମସିହା ଡିସେମ୍ବର 19 ତାରିଖରେ ଆଲାପୁଜାସ୍ଥିତ ତାଙ୍କ ବାସଭବନରେ ପରିବାର ଲୋକଙ୍କ ସାମ୍ନାରେ ତାଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ କୋର୍ଟ 15ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଆଜି ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି ।
ଆଜି (ମଙ୍ଗଳବାର) ଆଡିସନାଲ ଡିଷ୍ଟ୍ରିକ୍ଟ ସେସନ କୋର୍ଟ ରଞ୍ଜିତ ଶ୍ରୀନିବାସ ହତ୍ୟା ଘଟଣାରେ ଏହି ରାୟ ଶୁଣାଇଛନ୍ତି । ହତ୍ୟାକାଣ୍ଡରେ 8ଜଣ ମୁଖ୍ୟ ଅଭିଯୁକ୍ତ ରହିଥିବା ନେଇ କୋର୍ଟ ପକ୍ଷରୁ କୁହାଯାଇଛି । ଏହି 8 ଅପରାଧିଙ୍କୁ ଆଇପିସି ଧାରା 302, 149, 449, 506 ଏବଂ 341 ଅନୁସାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏହାପରେ ଏହି ଘଟଣାରେ ଆଉ 7ଜଣ ସମ୍ପୃକ୍ତ ରହିଥିବା ଜଣାପଡ଼ିବା ପରେ ଗିରଫ କରାଯାଇଥିଲା । ଆଜି ମୋଚ 15ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ ।
ରଞ୍ଜିତ ବିଜେପିର ଓବିସି ମୋର୍ଚ୍ଚା ସଂପାଦକ ଥିଲେ । ତାଙ୍କ ପତ୍ନୀ ଏବଂ ମା'ଙ୍କ ସାମ୍ନାରେ 2021 ମସିହା ଡିସେମ୍ବର 19 ତାରିଖରେ ତାଙ୍କ ବାସଭବନରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଅପରାଧୀଙ୍କୁ ସର୍ବାଧିକ ଦଣ୍ଡ ଦେବା ପାଇଁ ପୀଡିତାଙ୍କ ପକ୍ଷରୁ କୋର୍ଟରେ ଦାବି କରାଯାଇଥିଲା । ଅଭିଯୁକ୍ତମାନେ ତାଲିମପ୍ରାପ୍ତ ହତ୍ୟାକାରୀ ଏବଂ ସେମାନେ ରଞ୍ଜିତଙ୍କୁ ତାଙ୍କ ମା', ଛୁଆ ଏବଂ ସ୍ତ୍ରୀଙ୍କ ସାମ୍ନାରେ ହତ୍ୟା କରିଥିବା ନେଇ କୋର୍ଟ ପକ୍ଷରୁ କୁହାଯାଇଛି ।