ଝାରସୁଗୁଡାରୁ ଅପହରଣ ସମ୍ବଲପୁରରୁ ଉଦ୍ଧାର, ମା’ଙ୍କ ପୁରୁଷ ବନ୍ଧୁ ଦେଉଥିଲେ ଯୌନ ନିର୍ଯାତନା !
🎬 Watch Now: Feature Video
ସମ୍ବଲପୁର: ସ୍ବାମୀର ଅଜାଣତରେ ଦୁଇ ଝିଅଙ୍କୁ ପୁରୁଷ ବନ୍ଧୁ ସହ ମିଶି ଚେନ୍ନାଇ ଅଭିମୁଖେ ବାହାରିଥିଲା ମାଆ । ଝାରସୁଗୁଡାରୁ ଅପହରଣ ପରେ ସମ୍ବଲପୁରରୁ ଦୁଇ ନାବାଳିକାଙ୍କୁ ଉଦ୍ଧାର କଲା ଆରପିଏଫ୍ ପୋଲିସ । ସମ୍ବଲପୁର ଆରପିଏଫ୍ ନାବାଳିକାଙ୍କୁ ଚାଇଲ୍ଡଲାଇନକୁ ହସ୍ତାନ୍ତର କରିବା ପରେ ସିଡବ୍ଲ୍ୟୁସିରେ ତାଙ୍କୁ ହାଜର କରାଯାଇଛି । ମାଆର ଜାଣତରେ ତାର ପୁରୁଷ ବନ୍ଧୁ ଦୁଇ ଝିଅଙ୍କୁ ଯୌନ ନିର୍ଯାତନା ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି । ଏହାପରେ ମହିଳା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଆରପିଏଫ ପୋଲିସ ଅଟକ ରଖିଥିବା ବେଳେ ବେଲପାହାଡ଼ ପୋଲିସ ପଚରାଉଚରା କରୁଥିବା ଜଣାପଡିଛି । ଦୁଇ ଝିଅ ନିଖୋଜ ଥିବା ନେଇ ଝାରସୁଗୁଡା ବେଲପାହାଡ ଥାନାରେ ଅପହରଣ ଅଭିଯୋଗ କରିଥିଲେ ନାବାଳିକାଙ୍କ ବାପା ।
ଏହା ମଧ୍ୟ ପଢନ୍ତୁ-ପ୍ରେମରେ ପ୍ରତାରଣା, 14 ବର୍ଷୀୟା ନାବାଳିକା 5 ମାସର ଗର୍ଭବତୀ
ସମ୍ବଲପୁର ଶିଶୁ ମଙ୍ଗଳ କମିଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନାବାଳିକାଙ୍କ ମାଆ ଚେନ୍ନାଇର ଶ୍ରୀପୁରାରେ ଏକ କମ୍ପାନୀରେ କାମ କରନ୍ତି । ଏହି ସମୟରେ ସେ ଏକ କାର କମ୍ପାନୀରେ କାମ କରୁଥିବା ଜଣେ ଯୁବକଙ୍କ ତାଙ୍କର ପରିଚୟ ହୋଇଥିଲା । ସେତେବେଳେ ନାବାଳିକା ଓ ତାଙ୍କ ବଡ଼ ଭଉଣୀ ବି ମାଆ ପାଖରେ ରହୁଥିଲେ । ଏହି ସମୟର ରାତିରେ ନିଶା ବଟିକା ଦେଇ ନାବାଳିକା ମାନଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣା ଜାଣିବା ପରେ ତାଙ୍କ ବାପା ଉଭୟ ଝିଅଙ୍କୁ ବେଲପାହାଡ଼ ନେଇ ଆସିଥିଲେ । କିନ୍ତୁ ଗତ ସୋମବାର ମହିଳା ଜଣଙ୍କ ଜବରଦସ୍ତ ଉଭୟ ଝିଅଙ୍କୁ ନେଇ ଉକ୍ତ ଯୁବକ ସହ ଚେନ୍ନାଇ ବାହାରିଥିଲେ । କୌଣସି କାରଣରୁ ସେମାନେ ସମ୍ବଲପୁର ରେଳ ଷ୍ଟେସନ ପରିସରରେ ଅପେକ୍ଷା କରିଥିଲେ। ଏହି ସମୟରେ ନାବାଳିକା ଝିଅଟି ତାଙ୍କୁ ଉଦ୍ଧାର କରିବା ପାଇଁ ଏକ କାଗଜରେ କିଛି ଲେଖି ଆଖପାଖର ଲୋକଙ୍କୁ ଦେଇଥିଲେ । ଏନେଇ ସୂଚନା ପାଇବା ପରେ ଆରପିଏଫ୍ ନାବାଳିକାଙ୍କୁ ଉଦ୍ଧାର କରିଥିଲା ।
ଇଟିଭି ଭାରତ, ସମ୍ବଲପୁର