Duplicate Spice Processing Factory: ପୁଣି ନକଲି ମସଲା କାରଖାନା ଠାବ, ବ୍ୟବସାୟ ଗିରଫ - ନକଲି ମସଲା ଗୁଣ୍ଡ କମ୍ପାନୀ
🎬 Watch Now: Feature Video
କଟକ: କଟକରେ ପୁଣି ନକଲି ପସରା । ଦୀର୍ଘ ଦିନ ବ୍ୟବଧାନ ପରେ ପୁଣି ମାଲଗୋଦାମରୁ ନକଲି ମସଲା ଠାବ । 20 କୁଇଣ୍ଟାଲ ଅପମିଶ୍ରିତ ଲଙ୍କା, ହଳଦୀ, ଧନିଆ ପାଉଡର, ଖଡ଼ଗପୁରୀ ମିକ୍ସ ମସଲା ଇତ୍ୟାଦି ଠାବ ହୋଇଛି । ଏନେଇ ଖବର ପାଇ ମାଲଗୋଦାମ ଥାନା ପୋଲିସ ଓ ସିଏମସି ଫୁଡ଼ ସ୍କ୍ୱାର୍ଡ଼ ଚଢାଉ କରିଥିଲା । ପାଖାପାଖି ୬ ବର୍ଷ ହେବ ଏହି ନକଲି ମସଲା ଗୁଣ୍ଡ କମ୍ପାନୀ ଚାଲିଥିଲା । ବିଭିନ୍ନ ମସଲାରେ ଚାଉଳ ଗୁଣ୍ଡ ଓ ରାସାୟନିକ ରଙ୍ଗ ମିଶ୍ରଣ କରି ଏହି ନକଲି ମସଲା ଗୁଣ୍ଡକୁ ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଥିଲେ । ଏହା ସହ ବେସନରେ ମଧ୍ୟ ଅପମିଶ୍ରଣ କରି ବଜାରରେ ବିକ୍ରି କରାଯାଉଥିଲା । ପୋଲିସ ଓ ସିଏମସି ଫୁଡ଼ ସ୍କ୍ୱାର୍ଡ଼ ଚଢ଼ାଉ କରି ବିପୁଳ ପରିମାଣର ନକଲି ମସଲା ଗୁଣ୍ଡକୁ ଜବତ କରିବା ସହ କମ୍ପାନୀକୁ ସିଲ କରିଛି । ଏଥିସହ ବ୍ୟବସାୟୀ ଅରୁଣ କୁମାର ଗନ୍ତାୟତଙ୍କୁ ପୋଲିସ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ଜୋନ ୧ ଏସିପି ଅରୁଣ କୁମାର ସ୍ବାଇଁ।
ଏହା ମଧ୍ୟ ପଢନ୍ତୁ-କଟକ ମାଲଗୋଦାମରୁ ନକଲି ସସ ଜବତ: ଭୁବନେଶ୍ବରରେ ନକଲି ସସ କାରଖାନା ସିଲ
ସେହିପରି ଜବତ ନକଲି ସାମଗ୍ରୀର ମୂଲ୍ୟ 50 ଲକ୍ଷ ଟଙ୍କା ବୋଲି ସିଏମସି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ଏଥିସହ ଏହି ନକଲି ମସଲା ଆଉ କେଉଁ ଅଞ୍ଚଳକୁ ଚାଲାଣ ହେଇଥିଲା ସେନେଇ ତଦନ୍ତ କରାଯାଉଛି ବୋଲି ସୂଚନା ଦେଇଛନ୍ତି ଏସିପି ଅରୁଣ କୁମାର ସ୍ବାଇଁ।
ଇଟିଭି ଭାରତ, କଟକ