କଟକ ଜଳବନ୍ଦୀ ସମସ୍ୟା, ସିଏମସି ଉପରେ ବର୍ଷିଲା କଂଗ୍ରେସ

By

Published : Jun 26, 2023, 8:04 PM IST

thumbnail

କଟକ: ମୌସୁମୀ ବର୍ଷା ଆରମ୍ଭରୁ କଟକରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି । ଅସରାଏ ବର୍ଷାରେ କେତେକ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପସିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସିଏମସି ଉପରେ ବର୍ଷିଲା କଂଗ୍ରେସ । ଲୋକ ଦେଖାଣିଆ ମନ୍ତବ୍ୟ ଓ କେବଳ ମନ କିଣିବା ପାଇଁ ମେୟର ଓ କମିଶନର ସହରର ଗଳି କନ୍ଦିରେ ବୁଲି ଡ୍ରେନ ସମସ୍ୟା ସମ୍ପର୍କରେ ବୁଝୁଥିବା କଂଗ୍ରେସ ଅଭିଯୋଗ କରିଛି । ସାମନ୍ୟ ବର୍ଷାରେ କଟକର କିଛି ଘରେ ପାଣି ପଶିଲା । ଆଉ ଆଗକୁ ମଧ୍ୟ ବଡ଼ ବର୍ଷା ଆସୁଛି ତାହା ପୂର୍ବରୁ ମେୟର ଓ କମିଶନର ଯେଉଁ ଡ୍ରେନ ସମସ୍ୟା ବୁଝୁଛନ୍ତି ତାହା ଭିତ୍ତିହୀନ ବୋଲି କହିଛନ୍ତି କଟକ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର । ସେ ଆହୁରି ମଧ୍ୟ କହିଛନ୍ତି, "ବିଗତ ଦିନ ମାନଙ୍କରେ ବର୍ଷା ସମୟରେ କଟକର ସ୍ଥିତି ଯେମିତି ଥିଲା ଆଜି ମଧ୍ୟ ସେହି ଅବସ୍ଥା ହେବାକୁ ଯାଉଛି । ଯାହାର ସ୍ଥାୟୀ ସମାଧାନ ସଠିକ ସମୟରେ ନକରି ଏବେ ବାହାଘର ବେଳେ ବାଇଗଣ ରୁଆ ଭଳି କାର୍ଯ୍ୟ କରୁଛନ୍ତି ।" କଟକର ଅନେକ ସ୍ଥାନରେ ଜାଇକା ଓ ବକ୍ସ ଡ୍ରେନ କାମ ଚାଲିଥିବାରୁ କର୍ତ୍ତୃପକ୍ଷ ସହରର ମୁଖ୍ୟ ଡ୍ରେନକୁ ଅବରୋଧ କରି ରଖିଛନ୍ତି । ଫଳରେ ବର୍ଷା ଜଳ ନିଷ୍କାସନ ନେଇ ସମସ୍ୟା ସୃଷ୍ଟି ହେଉଛି । ନିର୍ମାଣ କାମକୁ ସିଏମସି ବନ୍ଦ କରିବାକୁ ଚାହୁଁ ନାହିଁ । କାରଣ ନିର୍ଦ୍ଧାରିତ ସମୟ ଭିତରେ ବକ୍ସ ଡ୍ରେନ ଓ ଜାଇକା କାମ ଶେଷ କରିବାର ଆବଶ୍ୟକତା ରହିଛି । ସେପଟେ ନିର୍ମାଣ କାର୍ଯ୍ୟ ଯୋଗୁଁ ଡ୍ରେନ ଅବରୋଧ କରି ରଖାଯାଇଥିବାରୁ ବିନା ବର୍ଷାରେ ବି ଲୋକଙ୍କ ଘରେ ନର୍ଦ୍ଦମା ପାଣି ପଶୁଛି । ତେଣୁ  କାମ ଚାଲିବା ସତ୍ତ୍ୱେ କିଭଳି ଅଧିକ ବର୍ଷା ହେଲେ ଜଳ ନିଷ୍କାସନ ହେଇପାରିବ, ସେନେଇ ସିଏମସି ମେୟର, କମିଶନର ଓ ପୂର୍ବତନ ବିଧାୟକ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଇଟିଭି ଭାରତ, କଟକ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.