ସୁନ୍ଦରଗଡ: ଫୁଟବଲ ଟୁର୍ଣ୍ଣାମେଣ୍ଟ ସାହାଣୀ କପ୍ର ଫାଇନାଲ ମୁକାବିଲା ସୁନ୍ଦରଗଡ ଓ କଟକ ଦଳ ମଧ୍ୟରେ ଖେଳାଯିବ । ଗତକାଲି(ଶୁକ୍ରବାର) ସୁନ୍ଦରଗଡ ସଦର ବ୍ଲକର କିଞ୍ଜିର୍ମା ବିଜୁ ପଟ୍ଟନାୟକ ଷ୍ଟାଡିୟମ ଓ ଟାଙ୍ଗରପାଲି ବ୍ଲକର ତସଲାଡିହି ଷ୍ଟାଡିୟମରେ ସେମିଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ବିଜୁ ପଟ୍ଟନାୟକ ଷ୍ଟାଡିୟମରେ କଟକ ଓ ବଲାଙ୍ଗିର ଦଳ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ ହୋଇଥିଲା । ଏହି ମ୍ୟାଚରେ କଟକ ଦଳ ବଲାଙ୍ଗିର ଦଳକୁ 6-0 ଗୋଲରେ ପରାସ୍ତ କରି ବିଜୟୀ ହେବା ସହ ଫାଇନାଲ ଖେଳକୁ ଉନ୍ନିତ ହୋଇଛି ।
ସେହିପରି ତସଲାଡିହି ଷ୍ଟାଡିୟମରେ ସୁନ୍ଦରଗଡ ଓ ସମ୍ବଲପୁର ଦଳ ମଧ୍ୟରେ 2ୟ ଚିତାକର୍ଷକ ସେମିଫାଇନାଲ ମ୍ୟାଚ ହୋଇଥିଲା । ଏହି ମ୍ୟାଚରେ ସୁନ୍ଦରଗଡ ଦଳ ନିଜ ମାଟିର ଟେକ ରଖି ସମ୍ବଲପୁର ଦଳକୁ 2-0 ଗୋଲରେ ହରାଇ ଫାଇନାଲ ଖେଳ ଖେଳିବାର ସୁଯୋଗ ଅର୍ଜନ କରିଛି ।
ଆସନ୍ତା 14 ତାରିଖ ଦିନ ଏହି ଦୁଇ ବିଜୟୀ ଦଳ ଭବାନୀପୁର ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ମୁହାଁମୁହିଁ ହେବେ । କଟକ ଦଳ ସହ ସୁନ୍ଦରଗଡ ଦଳ ଫାଇନାଲ ମ୍ୟାଚ ଖେଳିବ । ଏହି ଫାଇନାଲ ମ୍ୟାଚକୁ ପ୍ରୋତ୍ସାହିତ କରିବାପାଇଁ ଓଡିଶା ଫୁଟବଲ ଆସୋସିଏସନର ସଂପାଦକ ଆଶୀର୍ବାଦ ବେହେରାଙ୍କ ସହ ଓଡିଶା ଅଲମ୍ପିକ ଆସୋସିଏସନର ସଂପାଦକ ଅଭିଜିତ ପାଲ ନିର୍ଣ୍ଣାୟକ ମ୍ୟାଚରେ ଉପସ୍ଥିତି ରହିବେ ବୋଲି କ୍ରୀଡା ସଂସଦ ସୂଚନା ଦେଇଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ