ସୁବର୍ଣ୍ଣପୁର: ଆଜି ପବିତ୍ର ଶ୍ରାବଣ ମାସ ଶେଷ ସୋମବାର । ଏହାକୁ ନେଇ ରାଜ୍ୟର ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଥିବାବେଳେ ଏଥିରୁ ବାଦ ପଡିନି ସୁବର୍ଣ୍ଣପୁର ସହର । କାଉଡିଆଙ୍କ ବୋଲବମ ପାର କରେଗା ଧ୍ବନିରେ ପ୍ରକମ୍ପିତ ହୋଇ ଉଠୁଛି ଅଷ୍ଟଶମ୍ଭୁଙ୍କ ଏହି ପବିତ୍ର ସହର । ଅଷ୍ଟଶମ୍ଭୁଙ୍କ ପାଖରେ ଜଳାଭିଷେକ କରିବାକୁ ଶେଷ ସୋମବାରରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ ଜମିଛି ।
ମହାନଦୀ ,ତେଲନଦୀ ଓ କର୍ପୁର ନଦୀର ତ୍ରିବେଣୀ ସଙ୍ଗମରୁ ଶ୍ରଦ୍ଧାଳୁ ଓ ବୋଲବମ ଭକ୍ତମାନେ ଜଳ ନେଇ ଶ୍ରୀ ରାମେଶ୍ବର ବାବାଙ୍କ ପାଖରେ ଚଢାଇଥିଲେ । ରାତ୍ରୀର ପ୍ରାୟ ଶେଷ ପ୍ରହରରୁ ଅଷ୍ଟଶମ୍ଭୁଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଆରମ୍ଭ ହୋଇଥିଲା ।
ବିଭିନ୍ନ ଯୁବକ ସଂଘ ଓ ମନ୍ଦିର କମିଟି ଗୁଡିକ ପକ୍ଷରୁ ଭକ୍ତଙ୍କ ପାଇଁ ସହରର ବ୍ଳକ ଛକ, ମଝିପଡାଛକ ଓ ରାମେଶ୍ବର ଛକ ଆଦିରେ ପାନୀୟ ଜଳ, ମାଗଣା ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ସହରର ତ୍ରିବେଣୀ ସଙ୍ଗମରୁ ହଜାର ହଜାର ଭକ୍ତ ପାଣି ନେଇ ଜିଲ୍ଲାର ଚମ୍ପେଶ୍ବର , କପିଳେଶ୍ବର ଆଦି ମନ୍ଦିରକୁ ଯାଇ ଜଳାଭିଷେକ କରିଛନ୍ତି । ଏଥିପାଇଁ ମନ୍ଦିର କମିଟି ଓ ଦେବୋତ୍ତର ବିଭାଗ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ