ସୁବର୍ଣ୍ଣପୁର: ଅବହେଳିତ ଅବସ୍ଥାରେ ସୁବର୍ଣ୍ଣପୁର ସହରର ମନ୍ଦିର । ସହରରେ ଅଷ୍ଟଚଣ୍ଡୀ ,ଅଷ୍ଟବିଷ୍ଣୁ , ଅଷ୍ଟ ଶମ୍ଭୁଙ୍କ ସମେତ ରହିଛି ଅଷ୍ଟୋତ୍ତର 108 ମନ୍ଦିର । ସହରରେ ବହୁ ପ୍ରାଚୀନ ମନ୍ଦିର ରହିଥିବାବେଳେ ମନ୍ଦିର ଗୁଡିକର ପରିଚାଳନା ପାଇଁ ଦେବୋତ୍ତର ବିଭାଗର ବ୍ୟାପକ ପରିମାଣର ଭୂସଂପତ୍ତି ରହିଛି । ସୋନପୁର ଗଡଜାତରେ ଚୌହାନ ରାଜାମାନଙ୍କ ଶାସନ ଅମଳରୁ ଦେବଦେବୀଙ୍କ ଅନ୍ନ ଭୋଗ, ପର୍ବପର୍ବାଣୀ, ମନ୍ଦିର ପରିଚାଳନା ଓ ଯାନିଯାତ୍ରା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରାୟ 36 ପ୍ରକାରର ବିଭିନ୍ନ ସଂପ୍ରଦାୟର ସେବାୟତଙ୍କୁ ପୂଜା ବିଧି ଓ ପର୍ବ ପର୍ବାଣୀ କାର୍ଯ୍ୟ ତୁଲାଇବାକୁ ନିଯୁକ୍ତି ଦିଆଯାଇଛି ।
ଦେବାଦେବୀଙ୍କ ନାଁରେ ବ୍ୟାପକ ଭୂସଂପତ୍ତି ଥିବା ସହିତ ପୂଜା ସେବା କରୁଥିବା ପର୍ଯ୍ୟନ୍ତ ସେବାୟତମାନେ ଭୋଗ ଦଖଲ କରିବେ ବୋଲି ରାଜୁଡା ଅମଳର ପଟ୍ଟା ତଥା ଦଲିଲଗୁଡିକରେ ସ୍ପଷ୍ଟ ଉଲ୍ଲେଖ ରହିଛି । ହେଲେ ଦେବୋତ୍ତର ବିଭାଗ ମନ୍ଦିର ଗୁଡିକର ପରିଚାଳନା କରିବାରେ ବିଫଳ ହୋଇଥିବା ଦେଖିବାକୁ ମିଳୁଛି । ମନ୍ଦିରଗୁଡିକର ରକ୍ଷଣା ବେକ୍ଷଣ କରିବା ସହିତ ଭୋଗ ଖଞ୍ଜା ଓ ସେବାୟତମାନଙ୍କ ଦକ୍ଷିଣା ଦେବାରେ ବିଫଳ ହୋଇଥିବା ଅଭିଯୋଗ ହେଉଛି । ବର୍ଷର ପ୍ରାୟ ସବୁ ସମୟରେ ସହରର ଏହି ପ୍ରାଚୀନ ପୀଠଗୁଡିକୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ବିଶେଷକରି ପୁଣ୍ୟ ମାସ ଗୁଡିକରେ ମନ୍ଦିର ପରିସରଗୁଡିକ ଜନ ସମୁଦ୍ରରେ ପରିଣତ ହେଉଛି । ହେଲେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଓ ବିଶ୍ରାମ ପାଇଁ ଅର୍ଥ ଅଭାବରୁ କୌଣସି ବ୍ୟବସ୍ଥା କରାଯାଇ ପାରୁନାହିଁ ।
ଦେବୋତ୍ତର ବିଭାଗର ବ୍ୟାପକ ସଂପତ୍ତି ଥିଲେ ହେଁ ଅନେକ ଜବରଦଖଲକାରୀଙ୍କ କବଜାରେ ରହିଛି । ଫଳରେ ଦେବୋତ୍ତର ବିଭାଗ ଆବଶ୍ୟକ ରାଜସ୍ବ ଆଦାୟ କରି ପାରୁନଥିବାରୁ ଦେବାଳୟଗୁଡିକ ଘୋର ଅବ୍ୟବସ୍ଥା ଭିତରେ ଗତି କରୁଛି । ତେବେ ଲୋକଙ୍କ ଆସ୍ଥା ଓ ବିଶ୍ବାସକୁ ସମ୍ମାନ ଦେବା ସହିତ ଦେବାଳୟଗୁଡିକର ସୁରକ୍ଷା ଓ ଆବଶ୍ୟକ ଉନ୍ନତି କରଣ କରିବା ପାଇଁ ଦାବି ହେଉଛି । ଅପରପକ୍ଷରେ ମହାମାରୀ କୋରୋନା ପାଇଁ ଦୀର୍ଘ ଦିନ ହେଲା ଦେବୋତ୍ତର କମିଟି ବୈଠକ ହୋଇ ପାରିନଥିବାବେଳେ ଆଗାମୀ ବୈଠକରେ ମନ୍ଦିର ସମସ୍ୟା ପ୍ରତି ଧ୍ୟାନ ଦେଇ ଆବଶ୍ୟକ ଆଲୋଚନା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉପ ଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ