ସୁବର୍ଣ୍ଣପୁର: ସକାଳ ସମୟ ଅନୁସାରେ ସ୍କୁଲ ଯାଇଥିଲେ ଛାତ୍ରଛାତ୍ରୀ । ହେଲେ କୌଣସି କାମ ପାଇଁ ସ୍କୁଲରୁ ବାହାରି ରାସ୍ତା ପାର ହେଉଥିଲେ ଛାତ୍ର । ଏତିକି ବେଳେ ମାଡି ଆସିଲା ମୃତ୍ୟୁର ଗାଡି । ଏକ ସ୍କର୍ପିଓ ଧକ୍କାରେ ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ ଏବଂ ଜଣେ ଗୁରୁତର ଆହତ ହୋଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାର ଶରଧାପାଲି ଛକରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଅଘଟଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଛାତ୍ର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ମୃତକ ସୁବ୍ରତ ପେରା ।
ଆଜି ସକାଳ ପ୍ରାୟ ସାଢେ ଏଗାରଟା ସମୟରେ ଜିଲ୍ଲାର ଶରଧାପାଲି ଛକରେ ଛାତ୍ରମାନେ ବିଦ୍ୟାଳୟରୁ ବାହାରି ରାସ୍ତା ପାର ହେଉଥିବା ସମୟରେ ଦ୍ରୁତ ଗତିରେ ଯାଉଥିବା ସ୍କର୍ପିଓ ଗାଡିଟି ଛାତ୍ରମାନଙ୍କୁ ପିଟି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଜଣେ ଛାତ୍ରର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇଥିବା ସ୍କର୍ପିଓ ଗାଡିଟି ଛାତ୍ରମାନଙ୍କୁ ପିଟି ଦେଇ ଫେରାର ମାରୁଥିବା ବେଳେ ଗାଁ ଲୋକେ ସ୍କର୍ପିଓଟିକୁ ଅଟକାଇବାରେ ସକ୍ଷମ ହୋଇଥିଲେ । ଏହାପରେ ସ୍ଥାନୀୟ ସୋନପୁର ପୋଲିସକୁ ଖବର ଦେଇଥିଲେ । ଖବରପାଇ ସୋନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଛାତ୍ରମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବାର ବ୍ୟବସ୍ଥା କରିବା ସହିତ ସ୍କର୍ପିଓ ଗାଡି ଓ ଡ୍ରାଇଭରକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି ।
ଏହା ମଧ୍ୟ ପଢନ୍ତୁ: ପୋଷା କୁକୁରଙ୍କ ପାଇଁ ଆସିବ ନୂଆ ନିୟମ: ରାସ୍ତାକଡରେ ଝାଡା ବସାଇବା ମନା, ଦେବାକୁ ପଡିବ ୧୦ ହଜାର
ମୃତ ଛାତ୍ର ଓ ଗୁରୁତର ଛାତ୍ରମାନଙ୍କ ଆତ୍ମୀୟସ୍ବଜନ ଓ ପରିବାର ବର୍ଗ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ କରିଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ଛାତ୍ରମାନେ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ର ହୋଇଥିବା ବେଳେ ନାମ ସୁବ୍ରତ ପେରା, ରାଜେଶ ପେରା ଓ ରାଜା ପେରା ବୋଲି ଜଣା ପଡିଛି । ପୋଲିସ ଜନ ଉତ୍ତେଜନାକୁ ଶାନ୍ତ କରିବା ପ୍ରୟାସ ଜାରି ରଖିବା ସହ ତଦନ୍ତ ଜାରି ରଖିଛି ।
ଇଟିଭି ଭାରତ, ସୁବର୍ଣ୍ଣପୁର