ସୁବର୍ଣ୍ଣପୁର: କ୍ଷତି ପୂରଣ ଜିଦରେ ଅଡି ବସିଛନ୍ତି ଗ୍ରାମବାସୀ । ଦୀର୍ଘ 15 ଘଣ୍ଟାରୁ ଅଧିକ ସମୟ ଧରି ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି। ଫଳରେ ସାଧାରଣ ଯାତାୟତ ବାଧାପ୍ରାପ୍ତ ହୋଇଛି। ଗତକାଲି ସୁବର୍ଣ୍ଣପୁର- ସମ୍ବଲପୁର ରାଜପଥ ନିକଟ ନାୟକ ପଡା ଛକରେ ବସ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ମୃତ ଯୁବକ ଜଣକ ନାୟକପଡା ଗ୍ରାମର ଅଭିମନ୍ୟୁ ସାହୁ ବୋଲି ଜଣାପଡ଼ିଛି ।
ସୂଚନା ଯୋଗ୍ୟ, ଗତକାଲି ସନ୍ଧ୍ୟାରେ ଏକ ଘରୋଇ ବସ ବାହାଘର ରିଜର୍ଭ ସାରି ସମ୍ବଲପୁର ରାସ୍ତା ଦେଇ ବିରମହାରାଜପୁରକୁ ଫେରୁଥିଲା । ଗାଡିରେ କୌଣସି ଯାତ୍ରୀ ନ ଥିବା ବେଳେ ବସଟି ଦୃତ ଗତିରେ ଆସୁଥିବା ଜଣା ପଡିଛି । ତେବେ ନାୟକପଡା ନିକଟରେ ଅନ୍ୟ ଏକ ଗାଡିକୁ ସାଇଡ ଦେବାକୁ ଯାଇ ରାସ୍ତା କଡରେ ଛିଡା ହୋଇଥିବା ଜଣେ ଯୁବକକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକକୁ ଧକ୍କା ଦେଇ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡିଛି । ଡ୍ରାଇଭର ଓ ହେଲପର ଫେରାର ମାରିଥିବା ବେଳେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ଉତ୍ୟକ୍ତ ଗ୍ରାମର ଲୋକେ ମୃତ ବ୍ୟକ୍ତଙ୍କୁ କ୍ଷତି ପୂରଣ ଦାବିରେ ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାକୁ ଅବରୋଧ କରିଥିଲେ । ଗତକାଲି ରାତିରେ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବାରେ ବିଫଳ ହୋଇଛି । ଏଯାଏ ରାସ୍ତା ଅବରୋଧ ଚାଲିଥିବା ବେଳେ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚିନଥିବା ଜଣାପଡ଼ିଛି।
ଇଟିଭି ଭାରତ, ସୁବର୍ଣ୍ଣପୁର