ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଅନ୍ତର୍ଗତ ଚଡେଇପଙ୍କ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ମହେଶ୍ବର ନନ୍ଦ ଶତାଧିକ ସମର୍ଥକଙ୍କୁ ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ତାଙ୍କୁ ପଞ୍ଚାୟତ ନିର୍ବାଚନ ଲାଗି ଚିହ୍ନ ମିଳିନଥିବାରୁ ଏହି ବିକ୍ଷୋଭ କରାଯାଇଛି । ସେହିପରି ସେ ପ୍ରାର୍ଥୀପତ୍ର ଦାଖଲ ସମୟରେ ଆବଶ୍ୟକ ସମସ୍ତ କାଗଜପତ୍ର ପ୍ରଦାନ କରିଥିଲେ ।
ମାତ୍ର ଏହି ସମୟରେ ୫ ଜଣ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଥିବାବେଳେ ମହେଶ୍ବର ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ସ୍ବୀକାରୋକ୍ତି ପତ୍ର ଦେଇ ନାହାନ୍ତି ବୋଲି ତାଙ୍କ ପ୍ରାର୍ଥୀ ପତ୍ର ନାକଚ କରି ଦିଆଯାଇଥିବା ମହେଶ୍ବର ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ଚଡେଇପଙ୍କ ପଞ୍ଚାୟତରେ ଅପ୍ରତିଦ୍ବନ୍ଦୀ ଭାବେ ଦେବଦତ୍ତ ପର୍ଡିଆ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଘୋଷଣା କରିଛନ୍ତି । ତେବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀ ଦେବଦତ୍ତଙ୍କ ପାଖରେ ବିକ୍ରି ହୋଇ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଛନ୍ତି ବୋଲି ମହେଶ୍ବର କହିଛନ୍ତି । ସେହିଭଳି ଦେବଦତ୍ତ ନିର୍ବାଚନ ଅଧିକାରୀଙ୍କୁ ହାତେଇ ତାଙ୍କ ପ୍ରାର୍ଥୀପତ୍ରକୁ ନାକଚ କରି ଦେଇଥିବା ସେ ଅଭିଯୋଗ ଆଣିଛନ୍ତି ।
ଅପରପକ୍ଷେ ମହେଶ୍ବର ନନ୍ଦ ଏହାର ପ୍ରତିବାଦ କରି ଜିଲ୍ଲାପାଳଙ୍କ ନିକଟରେ ନିଜ ସମର୍ଥକଙ୍କ ସହ ଆସି ଅଭିଯୋଗ କରିଛନ୍ତି । ନିର୍ବାଚନ ଅଧିକାରୀ ଜାଣିଶୁଣି ତାଙ୍କୁ ନିର୍ବାଚନ ଲଢିବା ପାଇଁ ଚିହ୍ନ ଦେଇ ନହାଁନ୍ତି । ଏହାସହ ତାଙ୍କ ପ୍ରାର୍ଥୀପତ୍ରକୁ ନାକଚ କରିଥିବାରୁ ନିର୍ବାଚନୀ ଅଧିକାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ମହେଶ୍ବର ଦାବି କରିଛନ୍ତି ।
ଏଥିସହ ତାଙ୍କୁ ନିର୍ବାଚନ ଲଢିବା ପାଇଁ ସୁଯୋଗ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି ରଖିଛନ୍ତି । ତେବେ ମାମଲା ଜିଲ୍ଲାପାଳଙ୍କ ପାଖରେ ବିଚାରଧୀନ ଥିବାରୁ ଜିଲ୍ଲାପାଳ ରାଜ୍ୟ ନିର୍ବାଚନ କମିଶନକୁ ଜଣେଇ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ