ସୁବର୍ଣ୍ଣପୁର : ନାବାଳିକା ନିଖୋଜର ସପ୍ତାହେ ପରେ ବି ପତ୍ତା ପାଉନି ପୋଲିସ । ଯାହାର ପ୍ରତିବାଦରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚ ।
ଜିଲ୍ଲାର ବୀରମହାରାଜପୁର ଥାନା ଅନ୍ତର୍ଗତ ମୁର୍ଷୁଣ୍ଢି ଗାଁର ସୁରେନ୍ଦ୍ର ସନ୍ୟାସୀଙ୍କ ୧୭ ବର୍ଷିୟ ଝିଅ ଗତ ବୁଧବାର ଠାରୁ ନିଖୋଜ ଅଛି । ଏନେଇ ବୀରମହାରାଜପୁର ଥାନାରେ ୧୧ ତାରିଖରେ ଲିଖିତ ଅଭିଯୋଗ କରିଥିଲେ ଝିଅର ବାପା । ହେଲେ ସାତ ଦିନ ବିତିଯାଇଥିଲେ ବି ପୋଲିସ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନାହିଁ ।
ଏହାର ପ୍ରତିବାଦରେ ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚ ପକ୍ଷରୁ ଥାନା ଘେରାଓ କରିବା ସହ 3 ଦିନ ଭିତରେ ଝିଅକୁ ଉଦ୍ଧାର କରିବା ପାଇଁ ଦାବି ହୋଇଛି । ନାବାଳିକାକୁ ପୋଲିସ ଖୋଜି ନ ଆଣିଲେ ଥାନା ଆଗରେ ଧାରଣା ଦେବେ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।
ରାଜ୍ୟରେ ଅନେକ ନାବାଳିକା ବିଭିନ୍ନ ସମୟରେ ନିଖୋଜ ହେଉ ଥିବାବେଳେ ପୋଲିସର କାର୍ଯ୍ୟକଳାପକୁ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି । ତୁରନ୍ତ ଝିଅକୁ ଖୋଜି ଆଣିବା ପାଇଁ ପରିବାର ଲୋକେ ଗୁହାରୀ କରିଛନ୍ତି । ଅପରପକ୍ଷେ ଝିଅ ନାବାଳିକା ଥିବାରୁ ଘଟଣା ସମ୍ପର୍କରେ ବେଶ ସଚେତନ ବୋଲି ପୋଲିସ ସୂଚନା ଦେଇଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ