ସୁବର୍ଣ୍ଣପୁର: ଜିଲ୍ଲା ପରିବହନ ବିଭାଗରେ କର୍ମଚାରୀ ମରୁଡ଼ି । ନୂତନ ପରିବହନ ନିୟମ ଲାଗୁ ହେବା ପରେ ଗାଡି ମୋଟର ଚେକିଂକୁ କଡାକଡି କରାଯାଉଥିବା ବେଳେ ବିଭାଗୀୟ କାର୍ଯ୍ୟରେ ମନ୍ଥରତା ଦେଖିବାକୁ ମିଳୁଛି । କାର୍ଯ୍ୟାଳୟରେ କର୍ମଚାରୀଙ୍କ ଅଭାବ ଯୋଗୁଁ ଜନସାଧାରଣଙ୍କ କାର୍ଯ୍ୟ ଠିକ ଭାବେ ହୋଇ ପାରୁନାହିଁ ।
ଲୋକେ ବିଭିନ୍ନ କାମରେ ଅଫିସକୁ ଯାଇ ନିରାଶରେ ଘରକୁ ଫେରୁଛନ୍ତି । ଗୋଟିଏ କାର୍ଯ୍ୟ ପାଇଁ ଲୋକେ ପରିବହନ ବିଭାଗକୁ ବାରମ୍ବାର ଦୌଡ଼ୁଛନ୍ତି । ତେବେ ଜିଲ୍ଲା କାର୍ଯ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ପରିବହନ ଅଧିକାରୀ ଯାଏଁ 43 ଜଣ କର୍ମଚାରୀ ରହିବା ଯାଗାରେ ଏବେ ଅଛନ୍ତି ମାତ୍ର 16 ଜଣ କର୍ମଚାରୀ । ତେବେ ପଦ ପଦବୀ ପୂରଣ ନହେବା ଯାଏଁ ଜନସାଧାରଣ ଆବଶ୍ୟକ ସେବା ପାଇ ପାରିବେ ନାହିଁ ବୋଲି ଅଭିଯୋଗ ହେଉଛି । ବାରମ୍ବାର ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ କଲେ ବି କର୍ମଚାରୀ ପଦ ପଦବୀ ପୂରଣ ହୋଇ ପାରୁନାହିଁ । ଅପରପକ୍ଷରେ ବିତ୍ତ ବିଭାଗ ମଞ୍ଜୁର କଲେ କର୍ମଚାରୀମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ