ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିଜେପିରେ ଚାଲିଛି କି ଗୋଷ୍ଠୀ କନ୍ଦଳ ? ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି କି ବରିଷ୍ଠ ନେତା ବଳଦେବ ପ୍ରସାଦ ବେଦବାକ? ନା ନିଜ ଦୁର୍ବଳ ନେତୃତ୍ବକୁ ଲୁଚାଇବା ପାଇଁ ଷଡଯନ୍ତ୍ର କରୁଛନ୍ତି ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ? କିଏ ଠିକ ? କିଏ ଭୁଲ ? ଦ୍ବନ୍ଦ୍ୱରେ କର୍ମୀ । ନେତାଙ୍କ ପତିଆରା ଲଢେଇରେ ବଳି ପଡୁଛି କି ତୃଣମୂଳ ସଂଗଠନ ? ଜିଲ୍ଲାରେ ଶକ୍ତିଶାଳୀ ଥିବା ବିଜେପି କାହିଁକି ଧୀରେଧୀରେ ହୋଇଯାଉଛି ଦୁର୍ବଳ ? ଦଳୀୟ ସଂଗଠନକୁ ଦୁର୍ବଳ କରିବାକୁ କିଏ ରଚିଛି ଷଡଯନ୍ତ୍ର ? ଜିଲ୍ଲା ବିଜେପି ସଭାପତି ଯଦି ସଦୃଢ ? ତାହା ହେଲେ ସଂଗଠନ କାହିଁକି ଦୁର୍ବଳ ? ଜିଲ୍ଲା ଶାଖାରେ କଣ ଚାଲିଛି ଅବଗତ ଅଛନ୍ତି ତ ରାଜ୍ୟ ନେତୃତ୍ବ ? ସୁବର୍ଣ୍ଣପୁର ବିଜେପିକୁ ସଜାଡିବେ କି ମନମୋହନ ଆଣ୍ଡ କୋ ? ଏହି ପ୍ରଶ୍ନ ସେତେବେଳେ ଉଠୁଛି ଯେତେବେଳେ ଜିଲ୍ଲା ବିଜେପିର ଦୁଇ ବରିଷ୍ଠ ନେତା ଦଳୀୟ ପ୍ରସଙ୍ଗରେ ମୁହାଁମୁହିଁ ସ୍ଥିତିକୁ ଆସିଛନ୍ତି ।
ଘଟଣା ଥିଲା ଗତ ସୋମବାରର । ସ୍ଥାନୀୟ ସମସ୍ୟା, ଦୁର୍ନୀତି, ନିଯୁକ୍ତି, ବିକାଶ ସହ ଲୋକଙ୍କ ମୌଳିକ ପ୍ରସଙ୍ଗକୁ ମୁଦ୍ଦା କରି ବିଜେପି ପକ୍ଷରୁ ଉଲୁଣ୍ଡା,ବିନିକା ଓ ତରଭା ବ୍ଲକ ସମ୍ମୁଖରେ ବିକ୍ଷୋଭ ସହ ପ୍ରତିବାଦ କରାଯାଇଥିଲା । ଏଥିରେ ବିଜେପି ନେତା ବଳରାମ ସିଂ ଯାଦବଙ୍କ ସମେତ ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ସଭାପତି ଆଇନଜୀବି ବଳଦେବ ପ୍ରସାଦ ବେଦବାକ ସାମିଲ ହୋଇଥିଲେ। ପଞ୍ଚାୟତ ସମିତି ଓ ବ୍ଲକ ସମ୍ମୁଖରେ ଶୋଭାଯାତ୍ରାରେ ଆସି ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦିଆଯାଇଥିଲା । ବିକ୍ଷୋଭ ପ୍ରଦର୍ଶନ ବେଳେ ବିଜେପିର ପୋଷ୍ଟର ବ୍ୟାନର ମଧ୍ୟ ବ୍ୟବହାର ହୋଇଥିଲା । ଏପରିକି ବରିଷ୍ଠ ନେତା ବଳଦେବ ବେଦବାକ ଆନ୍ଦୋଳନର ଅଗ୍ରଭାଗରେ ଥିଲେ ।
ଏହାବି ପଢନ୍ତୁ- ପଦାରେ ପଡିଲା ବିଜେପି ଗୋଷ୍ଠୀ କନ୍ଦଳ, ଜିଲ୍ଲା ସଭାପତିଙ୍କୁ କାଳିମାଡ କଲେ ଦଳୀୟ କର୍ମୀ
ହେଲେ ଏହି ଆନ୍ଦୋଳନକୁ ନେଇ ଆଜି ପ୍ରଶ୍ନ ଉଠାଇଛନ୍ତି ବର୍ତ୍ତମାନର ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର । ସଭାପତି ପ୍ରମୋଦ ମହାପାତ୍ର ପ୍ରେସମିଟ କରି କହିଛନ୍ତି, ‘‘ଗତ ସୋମବାର ବିଜେପି ପୋଷ୍ଟର ବ୍ୟାନରରେ ଯେଉଁ ଆନ୍ଦୋଳନ ହୋଇଥିଲା ତାହା ଠିକ୍ ନୁହେଁ । ଯେଉଁ ନେତାମାନେ ଆନ୍ଦୋଳନର ନେତୃତ୍ବ ନେଇଥିଲେ ସେମାନେ ବିଜେପିରେ ନାହାଁନ୍ତି । ବଳରାମ ସିଂ ଯାଦବ ବିଜେପିର ପ୍ରାଥମିକ ସଦସ୍ୟ ନୁହଁନ୍ତି । ଏତଦ ବ୍ୟତୀତ ବଳଦେବ ପ୍ରସାଦ ବେଦବାକଙ୍କୁ ରାଜ୍ୟ ବିଜେପି ଦଳରୁ ବହିଷ୍କାର କରିଛି । ସେମାନେ କିଭଳି ଆନ୍ଦୋଳନ କରିବେ ? ଆନ୍ଦୋଳନ ପାଇଁ ଜିଲ୍ଲା ବିଜେପିର ଅନୁମତି ନେଇନାହାଁନ୍ତି କି ଦଳ ଅନୁମତି ଦେଇନାହିଁ ବୋଲି କହିଛନ୍ତି ।’’ ଏପରିକି ଏହି ଆନ୍ଦୋଳନକୁ ବିରୋଧ କରି ଜିଲ୍ଲା ବିଜେପି ଆଜି ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଛି ।
ସେପଟେ ଜିଲ୍ଲା ବିଜେପି ସଭାପତିଙ୍କ ଏହି ଅଭିଯୋଗ ପରେ ପ୍ରେସମିଟ୍ କରି ଜବାବ ରଖିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ସଭାପତି ବଳଦେବ ପ୍ରସାଦ ବେଦବାକ । ବଳଦେବ କହିଛନ୍ତି,"ବଳରାମ ସିଂ ୟାଦବ ଓ ସେ ବିଜେପିରେ ଥିଲେ ଅଛନ୍ତି ଓ ରହିବେ । ବିଜେପି ପାଇଁ କାମ କରୁଛନ୍ତି କରିବେ । ସେ ଦଳୀୟ ସଂଗଠନ ସୁଦୃଢ଼ ପାଇଁ କାମ କରୁଛନ୍ତି । ଓଲଟା ଜିଲ୍ଲା ସଭାପତିଙ୍କୁ ଦଳୀୟ ସମ୍ବିଧାନ ପଢ଼ିବାକୁ ପରାମର୍ଶ ଦେଇଛନ୍ତି । ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି କିଏ ପ୍ରକୃତ ବିଜେପି? ରାଜ୍ୟ ସଭାପତି ତୁରନ୍ତ ଏନେଇ ହସ୍ତକ୍ଷେପ କରିବାକୁ ଦାବି ହେଉଛି ।"
ବର୍ତ୍ତମାନ ପୂର୍ବତନ ବିଜେପି ସଭାପତି ବଳଦେବ ବେଦବାକ ଓ ବର୍ତ୍ତମାନର ବିଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ଚର୍ଚ୍ଚା ହେଉଛି । ଉଭୟ ନେତାଙ୍କ ପତିଆରା ଲଢ଼େଇରେ ବଳି ପଡୁଛି ଦଳୀୟ ସଂଗଠନ । ଦ୍ବନ୍ଦ୍ୱକୁ ଚାଲିଯାଉଛନ୍ତି ଦଳୀୟ କର୍ମୀ । ଯାହା କେବଳ ଦଳର କ୍ଷତି ହୋଇପାରେ ବୋଲି ରାଜନୀତି ସମୀକ୍ଷକ ଆକଳନ କରୁଛନ୍ତି । ଉଭୟ ଗୋଷ୍ଠୀର ଏହି ଗୋଷ୍ଠୀ କନ୍ଦଳ ଏବେ ବିଜେଡି ଓ କଂଗ୍ରେସ ପାଇଁ କଙ୍କଡାକୁ ଗୋଳିଆ ପାଣି ସୁହାଏ ପରି ହୋଇଛି। ଉଭୟ ନେତାଙ୍କ ଲଢ଼େଇରେ ପୂର୍ଣ୍ଣଚ୍ଛେଦ ପଡ଼ୁଛି ନା ଲଢେଇ ବଢୁଛି ଏବେ ତାରି ଉପରେ ନଜର । ତେବେ ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ବଳରାମ ସିଂ ଯାଦବ ଓ ବଳଦେବ ବେଦବାଗଙ୍କ ବିରୋଧରେ ପୋଲିସକୁ ଦେଇଥିବା ଅଭିଯୋଗପତ୍ର ପ୍ରସଙ୍ଗରେ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ସୂଚନାଯୋଗ୍ୟଯେ ବଳଦେବ ପ୍ରସାଦ ବେଦବାକ ହେଉଛନ୍ତି ଜିଲ୍ଲା ବିଜେପିର ପୂର୍ବତନ ସଭାପତି । ବଳଦେବଙ୍କ ସମୟରେ ଜିଲ୍ଲାରେ ବିଜେପି ସଂଗଠନ ଶକ୍ତି ବୃଦ୍ଧି ମଧ୍ୟ ଆଶା ଜନକ ଭାବେ ହୋଇଥିଲା । ବର୍ତ୍ତମାନ ସମୟରେ ପ୍ରତ୍ୟେକ ଦିନ ବଳଦେବ ଦଳୀୟ ନେତା କର୍ମୀଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ଏପରିକି ପୁରା ଜିଲ୍ଲାରେ ବିଜେପିର ପୋଷ୍ଟର ବ୍ୟାନର ଜରିଆରେ ଆନ୍ଦୋଳନ ବିକ୍ଷୋଭ କରୁଛନ୍ତି । ଲୋକଙ୍କ ସମସ୍ୟାକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଯାଇ ଲଢ଼େଇ କରୁଛନ୍ତି । ଗତ 2017 ମସିହା ପଞ୍ଚାୟତ ନିର୍ବାଚନରେ ବଳଦେବ ବେଦବାକ ତାଙ୍କର ଦକ୍ଷତା ପ୍ରଦର୍ଶନ କରିଥିଲେ । ରାଜ୍ୟ ନେତୃତ୍ବଙ୍କ ସହଯୋଗରେ ପୁରା ଜିଲ୍ଲାରେ ବିଜେପିକୁ ଶକ୍ତିଶାଳୀ କରିବା ସହିତ ପଞ୍ଚାୟତ ନିର୍ବାଚନରେ ଦଳର ପ୍ରଚଣ୍ଡ ବିଜୟ ବାନା ଉଡ଼ାଇଥିଲେ ।
ଇଟିଭି ଭାରତ, ସୁବର୍ଣ୍ଣପୁର