ସୁବର୍ଣ୍ଣପୁର: ନିରାଶା ଆଶାକର୍ମୀ । ଆଶା ଆଶାରେ ରହିଛି ଆଶାକର୍ମୀଙ୍କ ଦାବି। ସୁବର୍ଣ୍ଣପୁର ଜିଲ୍ଲାର ଆଶା କର୍ମୀମାନେ ଆଜି (ମଙ୍ଗଳବାର) ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟ ସଭାପତି ଲୋଭାକାନ୍ତ ସ୍ଵାଇଁଙ୍କ ନେତୃତ୍ବରେ ଶତାଧିକ ଆଶାକର୍ମୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି (asha worker protest) ।
ଆଜକୁ 17 ବର୍ଷ ହେଲା ଆଶାକର୍ମୀମାନେ କାର୍ଯ୍ୟ କରି ଆସୁଛନ୍ତି । ସେବାକୁ ଦୀର୍ଘ ବର୍ଷ ହୋଇଥିଲେ ବି ଏମାନଙ୍କ ଦାବି ସରକାର ଶୁଣୁ ନଥିବା ଅଭିଯୋଗ ହୋଇଛି । ଆଶା କର୍ମୀମାନଙ୍କୁ ସର୍ବନିମ୍ନ ମଜୁରୀ 26 ହଜାର ଟଙ୍କା ପ୍ରଦାନ, ସ୍ଥାୟୀ ନିଯୁକ୍ତି, ସରକାରୀ ମାନ୍ୟତା ପ୍ରଦାନ କରିବା ସହିତ ଅବସରକାଳୀନ ଆର୍ଥିକ ସହାୟତା ଅନୁନ୍ୟ 10 ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି । ଆଜିଠାରୁ ଆଶା କର୍ମୀମାନେ 15 ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ କରିବେ ବୋଲି ରାଜ୍ୟ ସଭାପତି ସୂଚନା ଦେଇଛନ୍ତି ।
ତୁରନ୍ତ ଆଶା କର୍ମୀଙ୍କ ଆଶା ପୂରଣ କରା ନ ଗଲେ ଆଗାମୀ ବିଧାନସଭା ଅଧିବେଶନ ସମୟରେ ରାଜଧାନୀରେ ଆନ୍ଦୋଳନ କରିବା ନେଇ ଚେତାବାନୀ ଦେଇଛନ୍ତି । ଏହା ସହିତ ଆଗାମୀ ଏପ୍ରିଲ 5 ତାରିଖରେ ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଆଗରେ ଆନ୍ଦୋଳନ କରିବେ ବୋଲି ସୂଚନା ଦେଇଛନ୍ତି । ତେବେ ତୁରନ୍ତ ଆଶାକର୍ମୀଙ୍କ ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଇଟିଭି ଭାରତ, ସୁବର୍ଣ୍ଣପୁର