ସମ୍ବଲପୁର: ଏବେ ମେଡ଼ିକାଲରେ କାର୍ଯ୍ୟରତ ସୁରକ୍ଷାକର୍ମୀ ଓ ସୁପରଭାଇଜର ଧରି ପାରିବେନି ସ୍ମାର୍ଟଫୋନ । ତେବେ ସମ୍ବଲପୁର ବୁର୍ଲା ଭିମସାରରେ କାର୍ଯ୍ୟରତ ସମସ୍ତ ସୁରକ୍ଷାକର୍ମୀ ଓ ସୁପରଭାଇଜରମାନଙ୍କୁ ସ୍ମାର୍ଟ ଫୋନ ବ୍ୟବହାର କରିବା ପାଇଁ ବାରଣ କରିଛନ୍ତି ବୁର୍ଲା ମେଡ଼ିକାଲର ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷା ସଂସ୍ଥାର କର୍ତ୍ତୃପକ୍ଷ । ଏନେଇ ଏକ ଲିଖିତ ନିର୍ଦ୍ଦେଶନାମା ଭୀମସାରର ସୁରକ୍ଷା ବ୍ୟବସ୍ଥା ଦେଖୁଥିବା ସଂସ୍ଥା ପକ୍ଷରୁ ଜାରି ହୋଇଛି ।
ପୂର୍ବରୁ ଭିମସାରରେ କାର୍ଯ୍ୟରତ ସୁରକ୍ଷାକର୍ମୀ ଓ ସୁପରଭାଇଜରମାନେ ସ୍ମାର୍ଟ ଫୋନ ବ୍ୟବହାର କରୁଥିଲେ । ଫଳରେ ସେମାନେ ଠିକ ଭାବରେ ସେମାନଙ୍କ କାର୍ଯ୍ୟ କରିପାରୁନଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା । ଅନେକ ସମୟରେ ବିଶୃଙ୍ଖଳା ସୃଷ୍ଟି ହେଉଥିବା ଦୃଷ୍ଟାନ୍ତ ରହିଛି । ଏନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କୁହାଯାଇଛି ।
ବର୍ତ୍ତମାନ ଠାରୁ ଯଦି କେହି ସୁରକ୍ଷାକର୍ମୀ କିମ୍ବା ସୁପରଭାଇଜର ସ୍ମାର୍ଟ ଫୋନ ବ୍ୟବହାର କରନ୍ତି, ତେବେ ତାଙ୍କୁ ଏକ ମାସ ପାଇଁ ବହିଷ୍କାର କରାଯିବ ବୋଲି ନିର୍ଦେଶନାମା ଜାରି ହୋଇଛି । ଅନ୍ୟପଟେ, ବେଳେ ବେଳେ ବୁର୍ଲା ମେଡ଼ିକାଲରେ ବିଭିନ୍ନ ବିବାଦୀୟ ଘଟଣାର ଭିଡିଓ, ଲୋକ ଲୋଚନକୁ ଆସୁଥିବାରୁ ଏହିଭଳି ପଦକ୍ଷେପ ନିଆଯାଇଛି ବୋଲି ଚର୍ଚ୍ଚା ହେଉଛି ।
ସମ୍ବଲପୁରରୁ ବାଦସାହା ଯୁଷ୍ମନ ରଣା, ଇଟିଭି ଭାରତ