ସମ୍ବଲପୁର: ବୁର୍ଲା ସହରରେ କୋଭିଡର ସ୍ଥାନୀୟ ସଂକ୍ରମଣ ବଢ଼ୁଥିବାରୁ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଓ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟର ସଟଡାଉନ ଅବଧିକୁ ବଢାଇ ଦିଆଯାଇଛି । ଚଳିତ ମାସ 18 ଯାଏଁ ବଢ଼ିଲା ବୁର୍ଲା ଭିସୁଟ୍ ବା ବୀରସୁରନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ଯାଳୟ ସଟ ଡାଉନ । ପୂର୍ବରୁ ଏହି ଶିକ୍ଷା ଅନୁଷ୍ଠାନରେ କୋରୋନା ଚିହ୍ନଟ ହେବା ପରେ ଚଳିତ ମାସ 13 ଯାଏ ସଟଡାଉନ ଘୋଷଣା କରିବାକୁ ନିଷ୍ପତ୍ତି ନେଇଥିଲେ କର୍ତ୍ତୃପକ୍ଷ । ତେବେ ଭିସୁଟରେ କୋରୋନା ରୋଗୀ ଚିହ୍ନଟ ଓ ସେହି ଲିଙ୍କରେ ଆଉ କିଛି ଚିହ୍ନଟ ହେବା ପରେ ଭିସୁଟର ସଟଡାଉନ ଅବଧିକୁ ବୃଦ୍ଧି କରିଛନ୍ତି କର୍ତ୍ତୃପକ୍ଷ ।
ଅନେକ ଷ୍ଟାଫ୍ କ୍ବାରେଣ୍ଟାଇନରେ ଥିବାରୁ ଏହି ଅବଧିକୁ ଆସନ୍ତା ଜୁଲାଇ ୧୮ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ତେବେ ୨୦ ତାରିଖରୁ ଅଫିସ କାର୍ଯ୍ଯ ଚାଲିବ ବୋଲି ଏକ ପତ୍ର ମାଧ୍ଯମରେ ଉଲ୍ଲେଖ କରିଛନ୍ତି ଭିସୁଟର କୂଳପତି । ଏହା ମଧ୍ଯରେ ଯେମିତି କୌଣସି ଷ୍ଟାଫ୍ ଷ୍ଟେସନ ନଛାଡନ୍ତି ସେନେଇ ମଧ୍ଯ ପତ୍ରରେ ଉଲ୍ଲେଖ ରହିଛି । ଅନ୍ୟପଟେ ବୁର୍ଲାରେ କୋରୋନା ସ୍ଥିତିକୁ ଦେଖି ସମ୍ବଲପୁର ବିଶ୍ବବିଦ୍ଯାଳୟର ସଟ ଡାଉନ ଅବଧିକୁ ମଧ୍ୟ କତ୍ତୃପକ୍ଷ ବଢାଇ ଦେଇଛନ୍ତି । ଆସନ୍ତା ଜୁଲାଇ ୧୪ରୁ ୨୦ ପର୍ଯ୍ଯନ୍ତ ୭ ଦିନ ଧରି ବନ୍ଦ ରହିବ ବିଶ୍ବବିଦ୍ଯାଳୟ | ଆସନ୍ତା କାଲିଠାରୁ ୭ ଦିନ ଯାଏଁ ବିଶ୍ୱ ବିଦ୍ୟାଳୟ ବନ୍ଦ ରହିବା ସାଙ୍ଗକୁ କୌଣସି କର୍ମ ଚାରୀ ବି ଅଫିସ ଆସିବେ ନାହିଁ ବୋଲି କଡା ନିର୍ଦେଶନାମା ଜାରି ହୋଇଛି ।
ଏଭଳି ନିର୍ଦେଶନାମା ଜାରି କରିଛନ୍ତି ସମ୍ବଲପୁର ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ । ଏହା ସହ କର୍ମଚାରୀମାନେ ଘରେ ଥାଇ ଯେତିକି ସମ୍ଭବ ସେତିକି କାମ କରିବାକୁ କୁହାଯାଇଛି । ସମସ୍ତ କର୍ମଚାରୀଙ୍କୁ ନିଜର ମୋବାଇଲ ଫୋନ୍ ଅନ ରଖିବାକୁ କୁହାଯାଇଛି । ଏହି ପରିସ୍ଥିତିରେ କୌଣସି କର୍ମଚାରୀ କିନ୍ତୁ ହେଡ କ୍ବାର୍ଟର ଛାଡି ପାରିବେ ନାହିଁ ବୋଲି ନିର୍ଦେଶନାମା ଜାରି ହୋଇଛି ।
ସମ୍ବଲପୁରରୁ ବାଦଶାହ ଯୁସ୍ମନ ରଣା, ଇଟିଭି ଭାରତ