ସମ୍ବଲପୁର: ଭାରତକୁ ଇଂରେଜ ମାନଙ୍କ ହାତରୁ ସ୍ବାଧୀନ କରିବା ପାଇଁ ଅନେକ ବୀରପୁତ୍ର ଦେଇଛନ୍ତି ନିଜ ପ୍ରାଣବଳୀ । ଆଉ ସେହି ବୀର ପୁତ୍ରଙ୍କ ତ୍ୟାଗ ଓ ବଳିଦାନ ଆଜି ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ । ଆଉ ଏହି ମାଟିର ଛାତିରେ ଆଜି ବି ଜୀବନ୍ତ ତା' ବୀରପୁତ୍ରର ଜୀବନ ସଂଗ୍ରାମ ଓ ମୁକ୍ତି ସଂଗ୍ରାମର କାହାଣୀ । ଏହି ମାଟି ମା'କୁ ସ୍ବାଧୀନ କରାଇବାକୁ ପଶ୍ଚିମ ଓଡିଶାର ଏମିତି ଜଣେ ବୀର ପୁରୁଷ ନେଇଥିଲେ ନେତୃତ୍ବ । ତାଙ୍କ ଦମ୍ଭର ଗର୍ଜନରେ ଥରହର ହୋଇଉଠିଥିଲା ଗୋରା ସରକାର । ଗରିଲା ଯୁଦ୍ଧରେ ପାରଙ୍ଗମ, ବିଚକ୍ଷଣ ବୁଦ୍ଧିର ଅଧିକାରୀ, ଚୌହାନ ରାଜବଂଶର ଦାୟାଦ ସେ ହେଉଛନ୍ତି ଓଡିଶା ସମ୍ବଲପୁର ରେଙ୍ଗାଲି ଖିଣ୍ଡା ଗ୍ରାମରେ ଜନ୍ମିତ ବୀର ସୁରେନ୍ଦ୍ର ସାଏ । ଏହି ନାଁ ଶୁଣିଲେ ମନେପଡେ ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମର କାହାଣୀ ।
1809 ମସିହା ଜାନୁଆରୀ 23 ତାରିଖରେ ଜନ୍ମ ଏହି ବୀରପୁତ୍ର ଇଂରେଜମାନଙ୍କ ବିରୁଦ୍ଧରେ ଦୀର୍ଘ 20 ବର୍ଷ ଧରି ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମ କରିଥିଲେ । ଆଉ ଜୀବନର 37 ବର୍ଷ ଜେଲରେ ବିତେଇଥିଲେ । ଆଉ ସବୁଠାରୁ ବଡ଼ କଥା ହେଲା 1857ର ସିପାହୀ ବିଦ୍ରୋହ ପୂର୍ବରୁ ମାତ୍ର 18 ବର୍ଷ ବୟସରେ ସେ 1827 ମସିହାରୁ ଏହି ସମ୍ବଲପୁର ମାଟିରେ ଇଂରେଜ ମାନଙ୍କ ବିରୁଦ୍ଧରେ ଆରମ୍ଭ କରିଥିଲେ ଗରିଲା ଯୁଦ୍ଧ । ତାଙ୍କର ପ୍ରେରଣାରେ ଅନେକ ଜମିଦାର, ଗାଁ ମୁଖିଆ ସ୍ଵାଧିନତା ସଂଗ୍ରାମରେ ଯୋଗ ଦେଇଥିଲେ। ତାଙ୍କର ବିଚକ୍ଷଣ ବୃଦ୍ଧି ଓ ଗୋଟି ଚାଳନା ଇଂରେଜ ସରକାରଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଥିଲା । ଏହି ସଂଗ୍ରାମର ପ୍ରଥମ ପର୍ଯ୍ୟାୟ 1840 ପର୍ଯ୍ୟନ୍ତ ଚାଲିଥିଲା । ଏହା ପରେ ଇଂରେଜ ମାନଙ୍କ ଦ୍ୱାରା ବନ୍ଦୀ ହୋଇ ସେ 1840ରୁ 1857 ପର୍ଯ୍ୟନ୍ତ ହଜାରିବାଗ ଜେଲରେ ବନ୍ଦୀ ଥିଲେ । ତେବେ 1857ର ସିପାହୀ ବିଦ୍ରୋହରେ ବିଦ୍ରୋହୀମାନେ ଜେଲ ଭାଙ୍ଗି ଦେବାରୁ ସେ ମୁକ୍ତ ହୋଇ ପୁଣି ଆରମ୍ଭ କରିଥିଲେ ସଂଗ୍ରାମ । ଦୁର୍ଗମ ଜଙ୍ଗଲ ଭିତରେ ଦୁର୍ଗ ତିଆରି କରି ପୁଣି ଆରମ୍ଭ କଲେ ସଂଗ୍ରାମ । ଆଉ ଏହି ସଂଗ୍ରାମ ଚାଲିଥିଲା 1857 ରୁ 1862 ପର୍ଯ୍ୟନ୍ତ । ଏହି ସମୟରେ ଅନେକ ଇଂରେଜ ଅଫିସର ପ୍ରାଣ ହରାଇଥିଲେ ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ