ସମ୍ବଲପୁର: ସହରରେ କଲବଲ କରୁଛି ତାତି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ବର୍ତ୍ତମାନ ସହରରେ ତାପମାତ୍ରା ପାଖପାଖି 45 ଡିଗ୍ରୀ ସେଲସିୟସ ଥିବା ବେଳେ ଲାଗି ରହିଥିବା ବିଦ୍ୟୁତ ବିଭ୍ରାଟ ଲୋକଙ୍କ ଜୀବନଯାତ୍ରାକୁ ଜଟିଳ କରି ଦେଇଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ବିଦ୍ୟୁତ ବିଭ୍ରାଟକୁ ନେଇ ଅଇଁଠାପାଲି ସ୍ଥିତ ୱେସ୍କୋ ଅଧିକ୍ଷକ ଯନ୍ତ୍ରୀଙ୍କୁ ଘେରାଉ କରାଯାଇଛି ।


ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲଙ୍କ ନେତୃତ୍ୱରେ ଅଧିକ୍ଷକ ଯନ୍ତ୍ରୀ ଇଂ ସଞ୍ଜିତ ନାଏକଙ୍କୁ ସାକ୍ଷାତ କରି ସମ୍ବଲପୁର ସହରରେ ଲାଗି ରହିଥିବା ବିଦ୍ୟୁତ ବିଭ୍ରାଟର ସମସ୍ତ ବିଷୟ ନେଇ ଆଲୋଚନା ହୋଇଥିଲା । ପରେ ଏନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ମୁଖ୍ୟତଃ ସମ୍ବଲପୁର ସହରରେ ଲାଗି ରହିଥିବା ଅଘୋଷିତ ବିଦ୍ୟୁତ କାଟ, ଲୋ ଭୋଲ୍ଟେଜ ତଥା ଅନ୍ୟାନ୍ୟ ବିଦ୍ୟୁତ ଯୋଗାଣ ସମ୍ବନ୍ଧୀୟ ସମସ୍ୟା ନେଇ ୱେସ୍କୋ ଅଧିକ୍ଷକ ଯନ୍ତ୍ରୀଙ୍କ ସହ ଆଲୋଚନା କରାଯାଇ ସମସ୍ୟା ଗୁଡିକର ସମାଧାନ ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି ।
ତେବେ 2 ମାସରୁ ଊର୍ଦ୍ଧ୍ବ ସମୟ ହେବ ସହର ଲକଡାଉନ ଥିବା କାରଣରୁ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ବନ୍ଦ ରହିଛି । ତଥାପି ସହରରେ ବିଦ୍ୟୁତ ଯୋଗାଣର ଅଭାବ ଓ ଲୋ ଭୋଲ୍ଟେଜ କାହିଁକି ହେଉଛି ବୋଲି ବିଜେପି ପ୍ରଶ୍ନ କରିଛି । ଏହାସହ ବିଭାଗୀୟ ଅଧିକାରୀଙ୍କ ନିଷ୍କ୍ରିୟତା ଓ ବୈଷୟିକ ତ୍ରୁଟି ଯୋଗୁଁ ଉପଭୋକ୍ତା ମାନଙ୍କୁ ତ୍ରୁଟିପୂର୍ଣ୍ଣ ବିଲ ଦିଆଯିବା ତଥା ଲକଡାଉନ ସମୟରେ ଗ୍ରାହକ ମାନଙ୍କ ଠାରୁ ବିଦ୍ୟୁତ ବିଲ କୋହଳ କରିବା ଆଦି ପ୍ରସଙ୍ଗ ଉପରେ ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ