ସମ୍ବଲପୁର: ସଦର ରେଞ୍ଜ୍ ଅଞ୍ଚଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ମାଈ ହାତୀ ମୃତ। ଜଙ୍ଗଲି ବାରହା ମାରିବା ପାଇଁ ବିଛାଇଥିବା ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏହି ମାଇ ହାତୀର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଜିଲ୍ଲାର ସଦର ରେଞ୍ଜର ଯୁଜୁମୁରା ନିକଟସ୍ଥ ଆମଲିପାନି ଗାଁ ବିହାରୀ ଢ଼ାବା ଠାରୁ 200 ମିଟର ଦୂରରେ ଘଟିଛି ଏହି ଅଭାବନୀୟ ଘଟଣା ।
ଗତକାଲି ବିଳମ୍ବିତ ରାତିରେ ମାଇ ହାତୀଟି ଜଙ୍ଗଲରେ ବୁଲୁଥିବା ସମୟରେ ବାରହା ଶିକାର ପାଇଁ ବିଛା ଯାଇଥିବା 11 କେଭିର ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର କେତେକ ଶିକାରୀ ବାରହା ଶିକାର ପାଇଁ ମଝି ଜଙ୍ଗଲରେ ପ୍ରାୟ 600 ମିଟର ବିଦ୍ୟୁତ ତାର ବିଛାଇ ଥିଲେ ବୋଲି ଅଭିଯୋଗ ହୋଇଛି ।
ଖବର ପାଇ ସଦର ରେଞ୍ଜ ବନ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ 5 ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି । ଏଥିସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ବନ ବିଭାଗ ।
ସମ୍ବଲପୁରରୁ ବାଦଶହା ଜୁଶମନ ରାଣା, ଇଟିଭି ଭାରତ