ରାୟଗଡା: କୋରୋନା ମହାମାରୀ ପରି ଏକ ଅଦୃଶ୍ୟ ଭୂତାଣୁ ସହ ଲଢୁଛି ସାରା ବିଶ୍ବ । ଏହାର ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ ଓ ଅନଲକ ପର୍ଯ୍ୟାୟରେ ଭୁଶୁଡିପଡିଛି ଦେଶର ଆର୍ଥିକ ମେରୁଦଣ୍ଡ । ଆଉ ଏହି ଆର୍ଥିକ ସଙ୍କଟରୁ ମୁକୁଳିବାକୁ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ଆତ୍ମନିର୍ଭର ବନାଇବା ଏବଂ ସ୍ବଦେଶୀ ଉତ୍ପାଦ ବ୍ୟବହାର ପାଇଁ କରିଥିଲେ ଅପିଲ୍ । ଏଥିରୁ ଅନୁପ୍ରାଣିତ ହୋଇ ସ୍ବଦେଶୀ ପଦ୍ଧତି ଆପଣାଇଛନ୍ତି ରାୟଗଡା ଜିଲ୍ଲା ଗୁଣପୁର ସେବା ସମାଜର ଅନ୍ତେବାସୀ । କୋରୋନା ପରିସ୍ଥିତିରେ ଖର୍ଚ୍ଚ କାଟ୍ କରିବାକୁ ଅନୁଷ୍ଠାନରେ ଚାଲିଛି ସାବୁନ ଓ ହ୍ୟାଣ୍ଡୱାସର ପ୍ରସ୍ତୁତି । ତାହା ପୁଣି ନିମ୍ବ ପତ୍ରରେ । ସେବା ସମାଜ ପରିସରରୁ ଏବଂ ସହର ବାହାରୁ ନିମ୍ବ ପତ୍ର ସଂଗ୍ରହ କରାଯାଇ ଏସବୁ ସାମଗ୍ରୀ ତିଆରି କରାଯାଉଛି ।
ଅନ୍ତେବାସୀମାନେ ପ୍ରଥମେ ନିମ୍ବ ପତ୍ର ସଂଗ୍ରହ କରିବା ପରେ ଖଣ୍ଡ ଖଣ୍ଡ କରି ପତ୍ରର ଶିରା ପ୍ରଶିରାକୁ ଅଲଗା କରନ୍ତି । ପତ୍ର କଞ୍ଚା ଥିବା ଅବସ୍ଥାରେ ହିଁ ସାବୁନ୍ ତିଆରି ପାଇଁ ଆସୁଥିବା ବେସକୁ ଗରମ କରି ସେଥିରେ ନିମ୍ବ ପତ୍ର ପକାଇ ଗରମ କରନ୍ତି । ଆଉ କିଛି ସମୟ ପରେ ପ୍ରସ୍ତୁତ ହୁଏ ସାବୁନ୍ ଓ ହ୍ୟାଣ୍ଡୱାସ୍ ଲିକ୍ବିଡ୍ । ଏହି ସାବୁନକୁ ସୁଗନ୍ଧିତ କରିବା ପାଇଁ ଗୋଲାପ ଜଳ ଓ ଏଲୋଭେରାର ମିଶ୍ରଣ କରାଯାଇଥାଏ । ସମ୍ପୂର୍ଣ୍ଣ ସ୍ବଦେଶୀ ପଦ୍ଧତିରେ ପ୍ରସ୍ତୁତ ଏହି ସାବୁନ ଓ ହ୍ୟାଣ୍ଡୱାସକୁ ସେବା ସମାଜର 3ଟି ଶାଖାର ଅନ୍ତେବାସୀ ବ୍ୟବହାର କରିଥାନ୍ତି ।
ରାୟଗଡା ଜିଲ୍ଲାର ରାୟଗଡା, ଗୁଣପୁର ଓ ପଦ୍ମପୁର ବ୍ଲକରେ ରହିଛି ସେବା ସମାଜର ଏହି 3ଟି ଶାଖା । ଆଉ ଏହି ଶାଖାରେ ଶତାଧିକ ଅନାଥ ଛାତ୍ରୀମାନେ ରହି ବିଭିନ୍ନ ସ୍କୁଲ କଲେଜରେ ପାଠ ପଢୁଛନ୍ତି । ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ବାରା ପରିଚାଳିତ ଏହି ଶାଖା କେନ୍ଦ୍ର ସରକାରଙ୍କ 60 ପ୍ରତିଶତ, ରାଜ୍ୟ ସରକାରଙ୍କ 30 ପ୍ରତିଶତ ଓ 10 ପ୍ରତିଶତ ନିଜସ୍ବ ଅନୁଦାନରୁ ଚାଲିଥାଏ । ଏବେ କୋରୋନାକୁ ନେଇ ସ୍କୁଲ କଲେଜ ବନ୍ଦ ହୋଇଯାଇଥିବା ବେଳେ ଲକଡାଉନ୍ ସମୟରେ ଖର୍ଚ୍ଚ କାଟ୍ କରିବା ପାଇଁ ଏହି ଅନୁଷ୍ଠାରେ ଏପରି ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯାଉଛି । ଆଉ ସେବା ସମାଜର ବିଭିନ୍ନ ଶାଖା ପରିସରରେ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରୁଛନ୍ତି ଗାନ୍ଧୀବାଦୀ ତଥା ଭୂଦାନ ନେତ୍ରୀ ଶାନ୍ତୀ ଦେବୀ । ଦୈନିକ ଆବଶ୍ୟକ ସାବୁନ୍ ଓ ହ୍ୟାଣ୍ଡୱାସ୍ କିଣିବାରେ ସମାଜ ଅକ୍ଷମ ହେବା ପରେ ଏପରି ପଦକ୍ଷେପ ନିଆଯାଇଥିବା ଅନୁଷ୍ଠାନ ତରଫରୁ କୁହାଯାଇଛି ।
କେବଳ ଏତିକି ନୁହେଁ, ଲକଡାଉନ୍ ସମୟରେ ସିଲେଇ ଶିକ୍ଷା ନେଇ ଛାତ୍ରୀମାନେ ୩ ହଜାରରୁ ଊର୍ଦ୍ଧ୍ବ ମାସ୍କ ସିଲେଇ କରି ରାୟଗଡ଼ା, ଗୁଣପୁର ଓ ପଦ୍ମପୁରରେ ଲୋକଙ୍କୁ ବଣ୍ଟନ କରିଛନ୍ତି । ଏଥିସହିତ ଅନାବନା କପଡାରୁ ଟେବୁଲ୍ କ୍ଲଥ, ଟିଭି କ୍ଲଥ୍, ରାଜସ୍ଥାନୀ ପ୍ରିଣ୍ଟ୍ କରିବା ମଧ୍ୟ ଶିଖିଛନ୍ତି । ଆଗକୁ ଶୀତ ଦିନ ଆସୁଥିବାରୁ ଅନ୍ତେବାସୀଙ୍କ ପାଇଁ ଶୀତ ବସ୍ତ୍ର, ମଫୁଲର ବୁଣିବା ନେଇ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରିଛନ୍ତି ଖୋଦ୍ ଶାନ୍ତି ଦେବୀ । ଯାହା ଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳତାର ବାଟ ଦେଖାଇଛି ।
ଆତ୍ମନିର୍ଭରଶୀଳତାର ନିଦର୍ଶନ ପାଲଟିଛନ୍ତି ଗୁଣପୁର ସେବା ସମାଜର ଅନ୍ତେବାସୀ । ସ୍ବଦେଶୀ ସାମଗ୍ରୀର ପ୍ରସ୍ତୁତ ଏବଂ ବ୍ୟବହାର କରି ଏମାନେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ