ରାୟଗଡ଼ା : ରାୟଗଡ଼ାରେ ଅବହେଳିତ ଦିବ୍ୟାଙ୍ଗ । ଭିନ୍ନକ୍ଷମ ଓ ଦଳିତମାନଙ୍କୁ ରାଜ୍ୟ ସରକାରଙ୍କ ଅବହେଳା ଅଭିଯୋଗ । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ଜିଲ୍ଲା ସକ୍ଷମ ସଂଗଠନ । କୌଣସି କ୍ଷେତ୍ରରେ ଦିବ୍ୟାଙ୍ଗମାନେ ଯେପରି ଅବହେଳିତ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ପ୍ରତ୍ୟେକ ଜ୍ଲିଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ କିଛିଟା ଜିଲ୍ଲାରେ କାର୍ଯ୍ୟ ଠିକ୍ ଭାବେ ଚାଲୁଥିବା ବେଳେ ଆଉ କିଛିଟା ଜିଲ୍ଲାରେ ଅବହେଳିତ ହୋଇଛନ୍ତି ଦିବ୍ୟାଙ୍ଗ । ନା ମିଳୁଛି ଏମାନଙ୍କୁ ସରକାରୀ ସହାୟତା ନା ସାହାର୍ଯ୍ୟ । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛି ଜିଲ୍ଲା ସକ୍ଷମ ସଂଗଠନ ।
ସେପଟେ ରାଜ୍ୟସରକାର ମଧ୍ୟ ଭିନ୍ନକ୍ଷମ ଓ ଦଳିତଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ସର୍ବଦା କହୁଛନ୍ତି । କିନ୍ତୁ ବାସ୍ତବରେ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖୋଦ୍ ରାୟଗଡ଼ା ଜିଲ୍ଲାରେ । ଏହାକୁ ନେଇ କ୍ଷୋଭପ୍ରକାଶ କରିଛି ଜିଲ୍ଲା ସକ୍ଷମ ସଂଗଠନ । ଦିବ୍ୟାଙ୍ଗଙ୍କ ପାଇଁ କେନ୍ଦ୍ର ଏବଂ ରାଜ୍ୟସରକାର ଅନେକ ଯୋଜନାମାନ କରିଛନ୍ତି । କିନ୍ତୁ କୌଣସି ଯୋଜନା ଏଠାରେ ପହଞ୍ଚି ନାହିଁ । ତେଣୁ ଏହି ଯୋଜନାମାନ ଯଦି ଦିବ୍ୟାଙ୍ଗମାନେ ପାଇବେ ତାହାଲେ ପ୍ରତ୍ୟେକ ଦିବ୍ୟାଙ୍ଗ ଆତ୍ମନିର୍ଭର ହୋଇ ଏକ ସମ୍ମାନଭରା ଜୀବନଯାପନ କରିପାରିବେ । ଏଭଳି ମତ ଦେଇଛି ଜିଲ୍ଲା ସକ୍ଷମ ସଂଗଠନ । ଖାଲି ସେତିକି ନୁହେଁ ଦିବ୍ୟାଙ୍ଗମାନଙ୍କ ପାଇଁ ଜିଲ୍ଲା ପ୍ରଶାସନର ମଧ୍ୟ ଏକ ସ୍ୱତନ୍ତ୍ର ବିଭାଗ ଯଥା ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ରହିଛି ।
ଯାହାର ମୁଖ୍ୟ କାମ ହେଲା ଦିବ୍ୟାଙ୍ଗମାନଙ୍କୁ ସହାୟତା, ସୁରକ୍ଷା ଦେବା ସହ ସଶକ୍ତ କରିବା । ହେଲେ ରାୟଗଡ଼ାରେ ଏହାର ବ୍ୟତୀକ୍ରମ ଦେଖାଦେଇଥିବା ଅଭିଯୋଗ ହୋଇଛି । ରାୟଗଡାରେ ସମୁଦାୟ ୧୧ଟି ବ୍ଲକ, ଦୁଇଟି ମୁନିସିପାଲିଟି ଏବଂ ଗୋଟିଏ ଏନଏସି ଅଛି । ପ୍ରତ୍ୟେକ ବ୍ଲକ ଏବଂ ମୁନିସିପାଲିଟିରେ ହାରାହାରି ପ୍ରାୟ ୬୦୦ ଦିବ୍ୟାଙ୍ଗ ଅଛନ୍ତି । ସମଗ୍ର ଜିଲ୍ଲାରେ ୮୨୯୮ ଦିବ୍ୟାଙ୍ଗ ଅଛନ୍ତି । ସେଥି ମଧ୍ୟରୁ ମାତ୍ର ୧୧୯ ଜଣ ଡିଆରଆଇ ଋଣ ପାଇଛନ୍ତି । ଯାହାକି ୧.୪୩%, ଜିଲ୍ଲାରେ ୪.୨୩% ଦିବ୍ୟାଙ୍ଗ ଉପକରଣ ପାଇଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାତ୍ର ୦.୩୯% ଦିବ୍ୟାଙ୍ଗ ପାଇଛନ୍ତି ଏବଂ ଅନ୍ୟ ସୁବିଧା ଉଦାହରଣ ସ୍ୱରୂପ ବାଣିଶ୍ରୀ ଯୋଜନା ମାତ୍ର ୨.୬୫% ପାଇଛନ୍ତି ।
ଏହାମଧ୍ୟ ପଢ଼ନ୍ତୁ.ରାଜ୍ୟରେ ଭିନ୍ନକ୍ଷମ ଅବହେଳିତ: କଂଗ୍ରେସ
ମୋଟ ଉପରେ ସୁବିଧା ପାଇଛନ୍ତି ମାତ୍ର ୭୨୩ ଜଣ । ଯାହାକି ୮.୭% । ଏଥିରୁ ସ୍ପଷ୍ଟ ଜଣାପଡୁଛି ରାୟଗଡା ମୁନିସିପାଲିଟି ଓ ବ୍ଲକରେ କେହି ଜଣେ ବି ଦିବ୍ୟାଙ୍ଗ ଉକ୍ତ ସୁବିଧା ପାଇନଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ସକ୍ଷମର ଜିଲ୍ଲା ସମ୍ପାଦକ ଶ୍ୟାମ କୁମାର ଦାସ କହିଛନ୍ତି '' ସକ୍ଷମ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ଜିଲ୍ଲା ପ୍ରଶାସନକୁ ଏହି କାର୍ଯ୍ୟରେ ସହଯୋଗ କରିବାକୁ । ଜିଲ୍ଲାର ସମସ୍ତ ଦିବ୍ୟାଙ୍ଗ ଓ ଅନ୍ୟମାନଙ୍କୁ ସୂଚାଇ ଦେବାକୁ ଚାହୁଁଛୁ ଯେ ଆଗାମୀ ଦିନରେ ଯଦି ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ସ୍ଥିତି ଏପରି ରହିବ ତାହାଲେ ନିଶ୍ଚିତ ଭାବେ ଏକ ବଡଧରଣର ଆନ୍ଦୋଳନ ହେବ । ଏଥିପାଇଁ କେବଳ ଜିଲ୍ଲା ପ୍ରଶାସନ ହିଁ ଦାୟୀ ରହିବେ ।'' ଏହି ସାମ୍ବାଦିକ ସମ୍ମିଳନୀରେ ସକ୍ଷମ ଜିଲ୍ଲା ସଭାନେତ୍ରୀ ସୁଶ୍ରୀ ଅନିତା ନନ୍ଦ, ଜିଲ୍ଲା ଉପସଭାପତି ରାକେଶ ହିମିରିକା ଏବଂ ଜିଲ୍ଲା ସହସମ୍ପାଦକ ଜଳନ୍ଧର ବାଚେଲି ଉପସ୍ଥିତ ଥିଲେ ।
ଇଟିଭି ଭାରତ, ରାୟଗଡ଼ା