ରାୟଗଡା: ବିଶିଷ୍ଟ ସମାଜସେବୀ ତଥା ଗାନ୍ଧିବାଦୀ ନେତ୍ରୀ ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ପରଲୋକ । ଗତକାଲି ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି । ୮୮ ବର୍ଷ ବୟସରେ ରାୟଗଡା ଜିଲ୍ଲାର ଗୁଣୁପୁର ସେବା ସମାଜ ପରିସରରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସାମାନ୍ୟ ଜ୍ବର ହେବା ପରେ ଗତକାଲି ରାତିରେ ରାତିରେ ହଠାତ ଯନ୍ତ୍ରଣା ଅନୁଭବ କରିବା ପରେ ସେ ଚେତାଶୂନ୍ୟ ହୋଇପଡିଥିଲେ । ପରେ ଉପଖଣ୍ଡ ଡାକ୍ତରଖାନାର ମେଡିକାଲ ସୁପରିଟେଣ୍ଡେଣ୍ଟ ଡଃ ରମେଶ ଚନ୍ଦ୍ର ସାହୁ ପହଞ୍ଚି ତାଙ୍କୁ ଦେଖିବା ପରେ ମୃତ ଘୋଷଣା କରିଥିଲେ।
ଶାନ୍ତି ଦେବୀଙ୍କ ବିଷୟରେ କିଛି...
ସମାଜସେବା କ୍ଷେତ୍ରରେ ଶାନ୍ତିଦେବୀଙ୍କ ଅବଦାନ କେବଳ ରାୟଗଡ଼ା ଜିଲ୍ଲାରେ ସୀମିତ ରହିନାହିଁ ଏହା ସାରା ଦେଶରେ ଆଜି ଶାନ୍ତି ଦେବୀଙ୍କୁ ପରିଚିତ କରିଛି । ବିବାହ ସମୟରେ ସ୍ୱାମୀଙ୍କ ସର୍ତ୍ତ ପୂରଣ ସାଙ୍ଗକୁ ଏଠିକା ଲୋକଙ୍କ ସେବା ପାଇଁ ବାଲେଶ୍ୱରରୁ ସେତେବେଳର କୋରାପୁଟ ତଥା ଏବର ରାୟଗଡ଼ାକୁ ସେ ଚାଲି ଆସିଥିଲେ । ୧୯୩୪ ଏପ୍ରେଲ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ଶାନ୍ତି ଦେବୀ । ୧୯୫୧ ମସିହାରେ ସମାଜସେବୀ ଡ଼.ରତନ ଦାଶଙ୍କ ସହ ବିବାହ ହୋଇଥିଲା । ପିଲାଟି ଦିନରୁ ସମାଜରେ ଘଟୁଥିବା ଅନ୍ୟାୟ, ଅତ୍ୟାଚାର, ଜୁଲୁମ ବିରୁଦ୍ଧରେ ପ୍ରତିବାଦ କରିବା ଥିଲା ଶାନ୍ତି ଦେବୀଙ୍କ ସ୍ୱଭାବ । ସେହି ସମୟରେ ସେ ଗାନ୍ଧିଜୀଙ୍କ ନୀତିରେ ପ୍ରଭାବିତ ହୋଇ ଗୋପବନ୍ଧୁ ଚୌଧୁରୀଙ୍କ ପ୍ରତିଷ୍ଠିତ ଏବଂ ପରିଚାଳିତ ଗାନ୍ଧି ଆଶ୍ରମରେ ଯୋଗଥିଲେ ।
ବିନୋବା ଭାବେଙ୍କ ସହ ଭେଟ ହେବା ପରେ ବଦଳି ଯାଏ ଜୀବନର ମୋଡ...
୧୯୫୧ ମସିହାରେ ଅବିଭକ୍ତ କୋରାପୁଟ ଜିଲାରେ ଦେଖା ଦେଇଥିବା ଅକାଳ ମରୁଡି ପ୍ରପଟିତଙ୍କୁ ରିଲିଫ ଯୋଗାଇବା ପାଇଁ ସ୍ୱାମୀ ରତନ ଦାସଙ୍କ ସହିତ ବିବାହର ୪ ମାସ ନପୁରୁଣୁ ଆସି ପହଞ୍ଚି ଥିଲେ ଗୁଣପୁରରେ ସହରରେ । ଏଠାରେ ସାକ୍ଷାତ ହୁଏ ସନ୍ଥ ବିନୋବା ଭାବେଙ୍କ ସହ । ତାପର ଠାରୁ ବଦଳି ଗଲା ତାଙ୍କ ଜୀବନର ଗତିପଥ । ଆଉ ପଛକୁ ଫେରି ପରିଲେନି ସେ । ଏଠାରେ ଅନାଥ ପିଲାଙ୍କ ମା ହୋଇ ଏହି ଆଦିବାସୀ ଅଞ୍ଚଳ ପାଲଟିଗଲା ତାଙ୍କର କର୍ମଭୂମି ।
ସେବା ପାଇଁ ସମର୍ପିତ:
୧୯୫୨ରେ କୋରାପୁଟରେ ଚାଲିଥିବା ଭୂସତ୍ୟାଗ୍ରହଣ ଆନ୍ଦୋଳନରେ ସାମିଲ ହୋଇ ଆରମ୍ଭ କଲେ ସାହୁକାରମାନଙ୍କ କବଳରେ ଥିବା ଆଦିବାସୀ ମାନଙ୍କ ଜମି ମୁକୁଲାଇବା କାର୍ଯ୍ୟ । ତାପରେ ବଲାଙ୍ଗରୀ, କଳାହାଣ୍ଡି ଏବଂ ସମ୍ବଲପୁର ଭୁଦାନ ଆନ୍ଦୋଳନରେ ସାମିଲ ହୋଇଥିଲେ । ରାୟଗଡା ଜିଲ୍ଲା ଗୋପାଳବାଡି ଠାରେ ମାଳିତ ଦେବୀଙ୍କ ଦ୍ୱାରା ସ୍ଥାପିତ ଆଶ୍ରମରେ ଭୂଦାନ କର୍ମୀଙ୍କୁ ତାଲିମ ପ୍ରଦାନ କରିଥିଲେ ଶାନ୍ତିଦେବୀ। ଏହି ସମୟରେ ସଙ୍କଳପଦରରେ ଆଜୀବନ କାରାବରଣ ହୋଇଥିବା ୪୦ଜଣ ଆଦିବାସୀଙ୍କୁ ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ମୁକ୍ତି ଦିଗରେ ଉଦ୍ୟମ କରିଥିଲେ ।
60 ବର୍ଷ ଧରି କରିଛନ୍ତି ଜନସେବା
୧୯୬୪ରେ ଆଦିବାସୀଙ୍କ ସହାୟତରେ ପଦ୍ମପୁର ବ୍ଲକସ୍ଥିତ ଜବରଗୁଡା ଠାରେ ଆରମ୍ଭ କଲେ ସେବାସମାଜ । ଏଠାରେ ଅନାଥ, ଗରୀବ ପିଲାଙ୍କୁ ରଖି ଲାଲନପାଳନର ଦାୟିତ୍ୱ ନେଲେ । ଏହି ସବୁକାମରେ ସ୍ୱର୍ଗତ ରତନ ଦାଶଙ୍କୁ ସହଯୋଗ ରହୁଥିଲା । ଦୀର୍ଘ ୬୦ବର୍ଷ ହେଲା ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ରଖିଥିଲେ । ରାୟଗଡ଼ା ଜିଲ୍ଲା ୧୩୧ ଜଣ ଅନାଥ ଝିଅ ଓ ଗରୀବ ପିଲାଙ୍କୁ ନିଜ ପାଖରେ ରଖି ମା ଭଳି ସେବା ଯତ୍ନ ନେଉଥିଲେ ସେ । ଅନାଥ ପିଲାଙ୍କ ପାଇଁ ସେ ଜିଲ୍ଲାର ରାୟଗଡା, ଗୁଣପୁର ଓ ପଦ୍ମପୁର ବ୍ଲକର ଜବରଗୁଡା, ନୂଆପଡା ସହରରେ ଗଢ଼ିତୋଳିଛନ୍ତି ସେବାଆଶ୍ରମ ।
ଆଦିବାସୀ ଇଲାକାରେ ଅନାଥ ବେସାହାରା ପିଲାମାନଙ୍କୁ ଖୋଜି ଆଣି ରଖିବା ସହ ସମସ୍ତ ଳାଳନପାଳନ ଦାୟିତ୍ୱ ନେଇଥିଲେ ସେ । ଏହି ସମାଜରେ ସମ୍ମାନରେ ସହ ବଚିଂବା ପାଇିଁ ପାଠପଢା ସହ ନୀତିଶିକ୍ଷା ଦେଉଥିଲେ ସେ । ଏପରିକି ଅନେକ ଅନାଥ ଝିଅଙ୍କୁ ନିଜେ ମା ହୋଇ ବାହାଘର ମଧ୍ୟ କରିଛନ୍ତି । ତାଙ୍କ ସଂସ୍କାରରେ ପାଳିତ ଅନେକ ପିଲା ଆଜି ବିଭିନ୍ନ କର୍ମସଂସ୍ଥାନରେ ନିୟୋଜିତ ହୋଇ ବେଶ ପ୍ରତିଷ୍ଠିତ ହୋଇପାରିଛନ୍ତି ।
ସେବା ପାଇଁ ମିଳିଛି ସମ୍ମାନ:
ତେବେ ଭୁଦାନ ଆନ୍ଦୋଳନର ଅନ୍ୟତମ ପୁରୋଧା ଥିଲେ ସେ । ଭୂଦାନ ଆନ୍ଦୋଳନର ଅନ୍ୟତମ ପୁରୋଧା ପଦ୍ମଶ୍ରୀ ଶାନ୍ତିଦେବୀ । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଜଣେ ସୁନାମଧନ୍ୟ ସେବା ଦମ୍ପତ୍ତି ଭାବେ ଉଭୟେ ସମସ୍ତଙ୍କ ନିକଟରେ ପରିଚିତ । ଗତକିଛି ବର୍ଷତଳେ ସ୍ୱାମୀଙ୍କ ମୃତ୍ୟୁ ପରେ ନିଜେ ଭାଙ୍ଗି ନଯାଇ ବରଂ ଅନାଥ ପିଲାଙ୍କ ସେବା କରି ନିଜ ଶେଷ ଜୀବନକୁ ଅଣଅଠା ପିଲାଙ୍କ ସେବାରେ ସମର୍ପଣ କରି ଦେଇଥିଲେ ପଦ୍ମଶ୍ରୀ ଶାନ୍ତିଦେବୀ । ତାଙ୍କ ଏହି ସେବାପାଇଁ ଅନେକ ଜାତୀୟ, ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ମିଳିଛି ଅନେକ ସମ୍ମାନ । ଗତ ବର୍ଷ ସେ ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଥିଲେ ।
ଶାନ୍ତିଦେବୀ ଯମୁନାଲାଲ ବାଜଜ ପୁରସ୍କାର ଠାରୁ ଆରମ୍ଭ କରି ଇମ୍ପା ଫାଉଣ୍ଡେସନ ପକ୍ଷରୁ ସାରାଳା ପୁରସ୍କାର ପର୍ଯ୍ୟନ୍ତ ସେ ଅନେକ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ସମ୍ମାନ ଅପେକ୍ଷା ଆଦିବାସୀ,ଗରୀବ ଅନାଥ ପିଲାଙ୍କ ମୁହଁରେ ହସ ଫୁଟାଇବା ହିଁ ତାଙ୍କ ଆତ୍ମସନ୍ତୋଷ ଦେଇଥାଏ ବୋଲି ସେ ସବୁବେଳେ କହନ୍ତି । ତେବେ ତାଙ୍କ ବିୟୋଗରେ ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର , ଏସପି ବିବେକାନନ୍ଦ ଶର୍ମା, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା, ରାଜ୍ୟ ସଭା ସାଂସଦ ଏନଭାସ୍କର ରାଓ , ରାଜ୍ୟ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ଉପଦେଷ୍ଠା ସୁଧୀର ଦାସ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ