ରାୟଗଡ଼ା: 'ଆଜାଦି କି ଅମୃତ ମହୋତ୍ସବ' ଅବସରରେ ଆୟୁଷ୍ମାନ ଭାରତ ଆନୁକୂଲ୍ୟରେ ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଛି ସ୍ବାସ୍ଥ୍ୟ ଶିବିର । ଏହାଦ୍ବାରା ଘର ଦାଣ୍ଡରେ ସ୍ବାସ୍ଥ୍ୟ ସେବା ପହଞ୍ଚି ପାରିଛି । ରାୟଗଡା ବ୍ଲକ ଅନ୍ତର୍ଗତ ଜେକେପୁର ସ୍ଥିତ ଭେଙ୍କେଟେଶ୍ବର କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସ୍ବାସ୍ଥ୍ୟ ଶିବିରକୁ କୋରାପୁଟ ସାଂସଦ ସପ୍ତଗିରୀ ଉଲ୍ଲାକା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି ।
ରାୟଗଡା ସିଡିଏମ ସମେତ 14ରୁ ଊର୍ଦ୍ଧ୍ବ ଡାକ୍ତର ଯୋଗ ଦେଇଛନ୍ତି । ଏଠାରେ ଶତାଧିକ ଲୋକ ଧାଡି ବାନ୍ଧି ନାମ ପଞ୍ଜୀକରଣ କରାଇବା ପରେ ଚକ୍ଷୁ, ଭେଷଜ, ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତରଙ୍କ ସହ ଆୟୁଷ ଡାକ୍ତରଙ୍କ ଦ୍ବାରା ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି । ସେହିପରି ମୁନିଗୁଡା ଓ ଜଗନ୍ନାଥପୁର ଠାରେ ମଧ୍ୟ ଭିନ୍ନ ଭିନ୍ନ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହିଭଳି ସ୍ବାସ୍ଥ୍ୟ ଶିବିର କେନ୍ଦ୍ର ସରକାରଙ୍କ ଦ୍ବାରା ଆଗାମୀ ୭ ଦିନ ପର୍ଯ୍ୟନ୍ତ ଚାଲୁ ରହିବ ।
ଏଣୁ ଲୋକେ ଏହାର ଫାଇଦା ନେବା ପାଇଁ ଲୋକଙ୍କୁ ଆହ୍ବାନ ଦେଇଛନ୍ତି ସ୍ଥାନୀୟ କୋରାପୁଟ ସାଂସଦ ସପ୍ତଗିରୀ ଉଲ୍ଲାକା । ସେହିପରି ଜିଲ୍ଲାର ସମସ୍ତ 11ଟି ବ୍ଲକରେ ପୃଥକ ପୃଥକ ଭାବେ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଲୋକଙ୍କ ପାଖରେ ସେବା ଯୋଗାଇବା ପ୍ରଥମ ଲକ୍ଷ୍ୟ ବୋଲି କହିଛନ୍ତି ରାୟଗଡା ମୁଖ୍ୟ ଚିକିତ୍ସା ଅଧିକାରୀ ଲାଲ ମୋହନ ରାଉତରାୟ ।
ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ