ରାୟଗଡ଼ା: ପର୍ଯ୍ୟଟନ ସ୍ଥଳରୁ ଧୀରେ ଧୀରେ ଡେଥ ଜୋନର ପରିଚୟ ସୃଷ୍ଟି ହେବାରେ ଲାଗିଛି ରାୟଗଡା ଉପକଣ୍ଠ ନାଗାବଳୀ ନଦୀ ଉପରେ ଥିବା ଝୁଲାପୋଲଟି । ପ୍ରକୃତିର ଅପୂର୍ବ ମନଲୋଭା ସୌନ୍ଦର୍ଯ୍ୟ ଏହି ପୋଲକୁ ଘେରି ରହିଥିବା ବେଳେ ଏଠାକୁ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ମାତ୍ର ଗତ ୫ ବର୍ଷରେ ଏଠାରେ ୨୭ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିବା ପରେ ଏଠାକୁ ଆସିବାକୁ ଭୟଭୀତ ପର୍ଯ୍ୟଟକ । ପୋଲ ତଳେ ଥିବା ନାଗାବଳୀ ନଦୀରେ ଭାସି ଅନେକ ପର୍ଯ୍ୟଟକ ଦୁର୍ଘଟଣାର ଶିକାର ହେଉଥିବାରୁ ସେଠାରେ ସୁରକ୍ଷା ପାଚେରୀ ନିର୍ମାଣ କରିବାକୁ ଦାବି କରିଛନ୍ତି ପର୍ଯ୍ୟଟକ ।
ଗୋଟିଏ ପଟେ ଦକ୍ଷିଣ ଭାରତର ପ୍ରସିଦ୍ଧ ଶକ୍ତି ପୀଠ ମଝିଘରିଆଣୀ ତ ଅନ୍ୟପଟେ ରାୟଗଡାର ଅପରୂପ ସୌନ୍ଦର୍ଯ୍ୟରେ ଭରପୂର ନାଗାବଳୀ ନଦୀ ଉପରେ ଥିବା ଝୁଲାପୋଲ । ପ୍ରତ୍ୟେକ ଦିନ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶହ ଶହ ଶ୍ରଦ୍ଧାଳୁ ରାୟଗଡାକୁ ଆସନ୍ତି ଅଧିଷ୍ଟାତ୍ରୀ ଦେବୀ ମଝିଘରିଆଣୀଙ୍କ ଦର୍ଶନ ପାଇଁ । ଏହି ପୋଲଟି ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ନିକଟରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ । ଏହି ସ୍ଥାନଟି ଅପୂର୍ବ ସୌନ୍ଦର୍ଯ୍ୟରେ ଭରପୂର ଥିବାରୁ ଏହା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।
ଫଳରେ ମନ୍ଦିରକୁ ଆସୁଥିବା ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଭକ୍ତ ଏହି ଅଞ୍ଚଳକୁ ବୁଲିବାକୁ ଭୁଲନ୍ତି ନାହିଁ । ଅନେକ ପର୍ଯ୍ୟଟକ ଝୁଲାପୋଲ ବୁଲିବା ପରେ ନଦୀକୁ ଯାଇ ଗାଧୋଇବା ସହ ପଥର ଶଯ୍ୟାରେ ଫଟୋ ଉଠାଇବା ବେଳେ ଟିକିଏ ଅସାବଧାନତା ଯୋଗୁଁ ନାଗାବଳୀ ପ୍ରଖର ସ୍ରୋତରେ ଭାସି ମୃତ୍ୟୁ ବାରଣ କରୁଛନ୍ତି । ଏଥିପ୍ରତି ନା ପ୍ରଶାସନ ନା ମନ୍ଦିର କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଫଳରେ ଅକାଳରେ ବହୁ ଜୀବନ ଚାଲି ଯାଉଛି । ପ୍ରତିଦିନ ଏଠି ଶହ ଶହ ପର୍ଯ୍ୟଟକଙ୍କ ଭିଡ ଜମୁଛି, ଜୀବନ ମଧ୍ୟ ଯାଉଛି । ମାତ୍ର ଏଥିପ୍ରତି ନାହିଁ ପ୍ରଶାସନର ନିଘଆ ।
ସମ୍ପୂର୍ଣ୍ଣ ଲୁହା ତାରରେ ନିର୍ମିତ ଏହି ଝୁଲାପୋଲ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି । ୨୦୧୭ ମସିହାରେ ଏହି ଝୁଲାପୋଲ ନିର୍ମାଣ ପର ଠାରୁ ବୁଲିବାକୁ ଆସି ୬ ପର୍ଯ୍ୟଟକ ନାଗାବଳୀରେ ବୁଡ଼ି ମରିଥିଲେ ଥିବାବେଳେ ୨୦୧୮ରେ ୮ ଜଣ, ୨୦୧୯ରେ୬, ୨୦୨୦ରେ ଜଣେ, ୨୦୨୧ରେ ୨ ଜଣ, ୨୦୨୨ରେ ବର୍ତମାନ ସୁଧା ୨ ଜଣ ପର୍ଯ୍ୟଟକଙ୍କ ଜୀବନ ଗଲାଣି । ଏଥି ସହିତ ୨୫ରୁ ଊର୍ଦ୍ଧ୍ବ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ନଦୀଗର୍ଭରୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ । ତେବେ ଗତ ଗୁରୁବାର ଦିନ ଆନ୍ଧ୍ରପ୍ରଦେଶ ଏଲୁରୁ ଅଞ୍ଚଳର ଏ. ଗୋପାଳକ୍ରିଷ୍ଣାଙ୍କ ପରିବାର ଝୁଲାପୋଲ ବୁଲିବାକୁ ଆସିଥିବା ବେଳେ ୩ ପୁଅ ନାଗାବଳୀରେ ଭାସିଯାଇଥିଲେ ।
ଗୋପାଳକ୍ରିଷ୍ଣା ୨ ପୁଅକୁ ବଞ୍ଚାଇବାରେ ସକ୍ଷମ ହୋଇଥିବା ବେଳେ ୬ ବର୍ଷର ପୁଅ ଏ. ଅମରେଶ ରାଓ ଏବେ ବି ନିଖୋଜ ହୋଇ ଯାଇଛନ୍ତି । ଏହି ଘଟଣା ପରେ ପୁଣି ଦାବି ଉଠିଛି ସୁରକ୍ଷାକୁ ନେଇ । ସୁରକ୍ଷା ଦୃଷ୍ଟିକୋଣରୁ ଝୁଲାବ୍ରିଜ୍ ଦୁଇପାର୍ଶ୍ବରେ ନଦୀକୁ ଯିବା ପାଇଁ ଥିବା ରାସ୍ତାରେ ସୁରକ୍ଷା ପାଚେରୀ ନିର୍ମାଣ ସହ ସକାଳ ୬ରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ସୁରକ୍ଷାକର୍ମୀଙ୍କୁ ନିୟୋଜନ କରିବା ଜରୁରୀ ହୋଇପଡିଛି । ବହୁ ଦାବି ସତ୍ତ୍ବେ ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି ।
ପର୍ଯ୍ୟଟନ ସ୍ଥଳୀର ସୁରକ୍ଷାକୁ ନେଇ ଆନ୍ଧ୍ରପ୍ରଦେଶ ପର୍ଯ୍ୟଟକ କେ. ଚନ୍ଦ୍ରମୌଳି କହିଛନ୍ତି, "ଏଠାରେ ସୁରକ୍ଷା ବ୍ୟବସ୍ଥା ନାହିଁ । କେଉଁଆଡେ ଯିବା କଥା, କଣ ଦେଖିବା କଥା ସେ ସମ୍ପର୍କରେ ଆମେ ଜାଣି ପାରୁନାହୁଁ । ଏଠାରେ ଜଣେ ଟୁରିଷ୍ଟ ଗାଇଡ ରହିବା ଆବଶ୍ୟକ । ଉକ୍ତ ବ୍ୟକ୍ତି ମଧ୍ୟ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ନଜର ରଖିପାରିବ । ସେପଟେ ରାୟଗଡ଼ା ବିଡ଼ିଓ ଲକ୍ଷ୍ମୀ ନାରାୟଣ ସାବତ କହିଛନ୍ତି, " ଆମକୁ ଜିଲ୍ଲାପାଳ ଏହାର ସୁରକ୍ଷାକୁ ନେଇ ମତାମତ ମାଗିଥିଲେ । ଆମେ ମତାମତ ଦେଇଛୁ । ବର୍ତ୍ତମାନ ଝୁଲାପୋଲ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଏହା ଉପରେ ଦୃଷ୍ଟି ଦେଲେ ଅନେକ ବିକାଶମୂଳକ କାର୍ଯ୍ୟ ମଧ୍ୟ ହୋଇପାରିବ ।"
ଏଭଳି କି ଅଘଟଣ ରୋକିବାକୁ ଦରକାର ପଡିଲେ ସମ୍ପୃକ୍ତ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା ପାଇଁ ବିଭିନ୍ନ ସଂଗଠନର ଦାବି କରିଛନ୍ତି । ସୂଚନା ଥାଉ କି ୨୦୧୧ ମସିହାରେ ରାୟଗଡ଼ା ବ୍ଲକର ୮ଟି ମାଓ ପ୍ରବଣ ପଞ୍ଚାୟତକୁ ସଂଯୋଗ ପାଇଁ ଆଇଏପି ଯୋଜନାରେ ଦେଢ଼ କୋଟି ବ୍ୟୟରେ ଝୁଲାପୋଲର ନିର୍ମାଣ ଆରମ୍ଭ ହୋଇ ୨୦୧୨ ମାର୍ଚ୍ଚରେ ସରିଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଏହି ସବୁ ଅଞ୍ଚଳକୁ ଯାତାୟାତ ପାଇଁ ଆଧୁନିକ ଜ୍ଞାନକୌଶଳର ୬ଟି ଓସାରିଆ ବ୍ରିଜ୍ ନିର୍ମାଣ ସରି କାର୍ଯ୍ୟକ୍ଷମ ହୋଇଛି । ସେପଟେ ଝୁଲାବ୍ରିଜର ରକ୍ଷାଣବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ଏହାର ସୁରକ୍ଷାକୁ କଡାକଡି କରିବାକୁ ସାଧାରଣରେ ଦାବି ହେଉଛି ।
ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ