ରାୟଗଡା: ପରିବାରବର୍ଗ ବହୁ କଷ୍ଟରେ ଅଛନ୍ତି । ପାଖରେ ଚଳିବାକୁ ଟଙ୍କା, ପଇସା ନାହିଁ। ପିଲାଛୁଆ ଓଳିଏ ଖାଇଲେ, ଓଳିଏ ଖାଉ ନାହାନ୍ତି। ଫୋନରେ ବାପା, ମା’ଙ୍କ କୋହଭରା କଣ୍ଠରେ ଏଭଳି କଥା ଶୁଣିବା ଆଉ ଧୌର୍ଯ୍ୟ ଧରି ରହି ନ ପାରି ନିଜ ରାଜ୍ୟକୁ ଫେରିବାକୁ ବାହାରି ପଡିଥିଲେ । ଆଉ ଭୂଲି ଯାଇଥିଲେ ଲକଡାଉନ କଟକଣା । କିନ୍ତୁ ଏବେ ଧରାପଡିଛନ୍ତି ରାୟଗଡା ପୋଲିସ ହାବୁଡରେ । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ସହରରେ ।
ସତେଯେମିତି ଭୋକର ଜ୍ବାଳା ଓ ପରିବାର ଲୋକଙ୍କ ମୋହ ଆଗରେ ଲକଡାଉନ୍ କଟକଣା ତୁଚ୍ଛ ପାଲଟିଥିଲା ଫେରିବାଲାଙ୍କ ପାଇଁ । ସୁଦୂର ପଶ୍ଚିମବଙ୍ଗର ମୁର୍ସିଦାବାଦରୁ ଆସିଥିବା ଫେରିବାଲା କୋରାପୁଟ, ରାୟଗଡ଼ାରେ ଫସି ରହିଥିବା ବେଳେ ଶୁକ୍ରବାର ବାଇକ ଯୋଗେ ସିମିଳିଗୁଡାରୁ 30 ଜଣ ଫେରିବାଲା କୋଲାକାତା ଅଭିମୁଖେ ବାହାରିଥିଲେ । କିନ୍ତୁ ରାୟଗଡ଼ା ପୋଲିସ, ପ୍ରଶାସନ ସମସ୍ତ ଫେରିବାଲାଙ୍କୁ ଅଟକ ରଖିବା ସହ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ କ୍ବାରେନଣ୍ଟାଇନରେ ରଖିଛି । ୧୪ ଦିନର କ୍ବାରେନଣ୍ଟାଇନ୍ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ଜଣାପଡିଛି ।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ମୁର୍ସିଦାବାଦ୍ ଜିଲ୍ଲାର ଡମକାଲ୍, ରାଣୀନଗର, ଜଲାଙ୍ଗି, ଇସଲାମପୁର ଅଞ୍ଚଳର ୩୦ ଫେରିବାଲା ଦୀର୍ଘ ଦିନ ହେବ କୋରାପୁଟ, ରାୟଗଡ଼ା ଜିଲ୍ଲାରେ ଫେରିବାଲା ଭାବେ ବିଭିନ୍ନ ସାମଗ୍ରୀ ବିକ୍ରି କରି ଜୀବିକା ନିର୍ବାହ କରୁଥିଲେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ