ରାୟଗଡା: ରାତିରେ ତାଲା ଭାଙ୍ଗି ଘରେ କଳା କନା ବୁଲାଇଲେ ଦୁର୍ବୁତ୍ତ । ଲୁଟିଲେ ଲକ୍ଷାଧିକ ଟଙ୍କା ସହ ପ୍ରାୟ 15 ଭରି ସୁନା ଅଳଙ୍କାର । ଏଭଳି ଘଟଣା ଘଟିଛି ରାୟଗଡା ସହରର PHD ନିକଟ ମାରୁତି କଲୋନୀରେ । ଏଠାରେ ରହୁଥିବା ବିଦ୍ୟୁତ ବିଭାଗରେ କାର୍ଯ୍ୟ କରୁଥିବା ତପନ ଦାସଙ୍କ ଘରେ କଳାକନା ବୁଲାଇଲେ ଚୋର ।
ତପନଙ୍କ ସ୍ତ୍ରୀ ଭବାନୀପାଟଣାରେ ଓଡିଶା ପୋଲିସ ହାଉସିଂରେ ଆସିଷ୍ଟାଣ୍ଡ ପ୍ରଜେକ୍ଟ ମେନେଜର ଭାବେ କାର୍ଯ୍ୟ କରନ୍ତି । ସେ କୋଭିଡ ଆକ୍ରାନ୍ତ ହୋଇଥିବାରୁ ଭବାନୀପାଟଣା ଘରେ ରହି ଚିକିତ୍ସିତ ହେଉଥିଲେ । ଏଥିପାଇଁ ତପନ ଓ ତାଙ୍କ ମା’ ଯାଇଥିଲେ ଭବାନୀପାଟଣା । ଏପଟେ ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୁତ୍ତ ଗୁରୁବାର ରାତିରେ ଲୁଟ କରିଛନ୍ତି ।
ଖବର ପାଇଁ ପୋଲିସ ତପନ ଦାସଙ୍କ ଘରେ ପହଞ୍ଚି ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ ସାହାଯ୍ୟରେ ତଦନ୍ତ ଚଲାଇଛି । ବର୍ତ୍ତମାନ ତଦନ୍ତ ଚାଲୁ ରହିଥିବା ବେଳେ କାହାରିକୁ ଧରିବାରେ ପୁଲିସ ସକ୍ଷମ ହୋଇନାହିଁ ।
ରାୟଗଡାରୁ ରଞ୍ଜନ ରଥ , ଇଟିଭି ଭାରତ