ରାୟଗଡା: ଗୁଣପୁର ପୌର ପରିଷଦରେ ଦୁର୍ନୀତି । ଏନେଇ ଗତକାଲି ଗୁଣପୁର ବିଜୁ ଜନତା ଦଳର କାଉନସିଲରଙ୍କ ସହ ଶତାଧିକ ପୁରୁଷ ଏବଂ ମହିଳା ପ୍ରଥମେ ଗୁଣପୁର ପୌର ପରିଷଦ ଏବଂ ପରେ ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ଗୁଣପୁର ପୌର ପରିଷଦର ମହା ଦୁର୍ନୀତି ଉପରେ ଆଠ ଦଫା ଦାବିପତ୍ର ରାୟଗଡା ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କୁ ଗୁଣପୁର ଉପଜିଲ୍ଲାପାଳ ଏବଂ ପୌର ଅଧିକାରୀଙ୍କ ଜରିଆରେ ପ୍ରଦାନ କରିଥିଲେ । ଲୋକେ ସାମାନ୍ୟ ସୁବିଧା ପାଉ ନ ଥିବା ଏବଂ ବିଭିନ୍ନ ଉନ୍ନୟନ ଯୋଜନାରେ ଯେଉଁ ଭଳି ପୌର ଦମ୍ପତି କାଉନସିଲରଙ୍କ ପରାମର୍ଶ ନ ନେଇ ମନୋମୁଖୀ କାମ କରୁଛନ୍ତି ତା ଉପରେ ଖୋଲା ଚେତାବନୀ ଦେଇଛନ୍ତି ବିଜୁ ଜନତା ଦଳର ନେତୃବର୍ଗ ।
ଅନ୍ୟପଟେ ମୋଟା ଅଙ୍କରେ ପିସି ନ ଦେଲେ ବିଲ୍ କରାଯାଉନି । ପୌରସଂସ୍ଥାର ବିଭିନ୍ନ ବିଭାଗୀୟ କାମ, ଲାଇଟକ୍ରୟ, ସଫେଇ କାମ, ପାର୍କ ପାଇଁ ସାମଗ୍ରୀକ୍ରୟ ଇତ୍ୟାଦି କୋଟି କୋଟି ସରକାରୀ ଟଙ୍କା ଏହି ଦମ୍ପତ୍ତି ହରିଲୁଟ କରୁଥିବା ଓ ସମ ପରିମାଣରେ ନିଜ ହାତ ମୁଠାରେ ପଞ୍ଚାୟତ ସମିତି ରଖିଥିବା ସେଠାରେ ମଧ୍ୟ ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ପ୍ରତି ଦୃଷ୍ଟି ନଦେଇ ରାଜନୈତିକ ଆକ୍ରୋଶ ରଖି ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି । ଏନେଇ ଗତକାଲି ବିଜେଡିର ଶୋଭାଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ଗତ କିଛି ମାସ ତଳେ ଗୁଣପୁର ପୌରସଂସ୍ଥା ଓ ପଞ୍ଚାୟତ ସମିତି ସ୍ୱାଧୀନ ସମର୍ଥିତ ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । ଏପରିକି ପୌରସଂସ୍ଥାର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ସ୍ୱାମୀ,ସ୍ତ୍ରୀ ହାତରେ ରହିଛି । ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ ପୌରସଂସ୍ଥା ଓ ବ୍ଲକ ପରିଚାଳନା କରୁଥିବା ନେଇ ସର୍ବଦା ଚର୍ଚ୍ଚା ହୋଇ ଆସୁଛି ।
ସେପଟେ ବିଜେଡି ପରାଜୟବରଣ କରିବା ପରେ ଉପାଧ୍ୟକ୍ଷ ଟେଣ୍ଡର ମାଧ୍ୟମରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରି ରାଜନୈତିକ ଆକ୍ରୋଶ ରଖି ହଇରାଣ କରାଯାଉଛି । ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିବା ପାଇଁ ସରକାର କନିଷ୍ଠ ଯନ୍ତ୍ରୀଙ୍କୁ ନିୟୋଜିତ କରିଥିବା ବେଳେ ଉପାଧ୍ୟକ୍ଷ ଉନ୍ନୟନମୂଳକ କାମକୁ ଯାଇ ମାଟି,ବାଲି,ସିମେଣ୍ଟ, ଲୁହା ନେଇ ତଦାରଖ କରୁଛନ୍ତି ବୋଲି ବିଜେଡି ଏବେ ପ୍ରଶ୍ନ କରିଛି । ସେହିଭଳି ବିଲ୍ ହେବାସମୟରେ ପ୍ରତି କାମରେ ଲାଞ୍ଚ ବାବାଦରେ ୫ରୁ ୨୦ହଜାର ଟଙ୍କା ଆଦାୟ କରାଯାଉଥିବା କାଉନସିଲର ମାନେ ଅଭିଯୋଗ କରିଛନ୍ତି । ଏହା ସହ ଶତକଡା ୨୨ ପ୍ରତିଶତ ପିସି ଠିକାଦାରଙ୍କ ଠାରୁ ଜବରଦସ୍ତ ଆଦାୟ କରାଯାଉଛି । ଯେଉଁ ଠିକାଦାର ଏହି ହୁକୁମକୁ ନ ମାନେ ତାକୁ ବିଭିନ୍ନ ଆଳ ଦେଖାଇ ହଇରାଣ କରାଯାଉଥିବା ନେଇ କାଉନସିଲର ମାନେ କ୍ଷୋଭ ପ୍ରକାଶ କରିଛନ୍ତି ।
ସେହିଭଳି ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, ମାଶା ଧୂଆଁ ବ୍ୟବହାର ନକରି ଏସବୁ ଅର୍ଥ ବ୍ୟାପକ ବାଟମାରଣା କରାଯାଉଛି । ପରିମଳ ବ୍ୟବସ୍ଥା ଗତକିଛି ବର୍ଷ ହେଲା ଉପାଧ୍ୟକ୍ଷ ନିଜ ହାତ ରଖି ମହା ଦୁର୍ନୀତି କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ସେହିଭଳି ପାର୍କ ନିମନ୍ତେ ସାମଗ୍ରୀ କ୍ରୟ ସମେତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ସମାଗ୍ରୀ କ୍ରୟରେ ବଡଧରଣର ଜାଲିଆତି ହୋଇଥିବାରୁ ଏହାର ଭିଜିଲାନ୍ସ ତଦନ୍ତ ଦାବୀ କରିଛି ବିଜେଡି । ଅନ୍ୟପଟେ ସରକାରଙ୍କ ନୀତି ନିୟମକୁ ଜଳାଞ୍ଜଳି ଦେଇ ପୌରସଂସ୍ଥାକୁ ଏହି ଗୌଡ ସମ୍ପତ୍ତି ନିଜ ପୌତୃକ ସମ୍ପତ୍ତି ବୋଲି ବ୍ୟବହାର କରିବା ଅଭିଯୋଗରେ ଆଜି ବିଜେଡି କାଉନସିଲର, ଛାତ୍ର,ଯୁବ, ମହିଳା ବିଜେଡି ପକ୍ଷରୁ ଏକ ଶୋଭାଯାତ୍ରାରେ ବାହାରି ପୌରସଂସ୍ଥା ସମ୍ମୁଖରେ କିଛି ସମୟ ପ୍ରତୀକ ଧାରଣା ଦେଇଛନ୍ତି । ଗୌଡ ଦମ୍ପତ୍ତିକୁ କୁଶାସନ ଓ ଦୁର୍ନୀତି ବନ୍ଦ ନ ହେଲେ ଆଗାମୀ ଦିନରେ ରାଜ୍ୟ ନେତୃତ୍ୱ ଏକ ପ୍ରତିନିଧି ଦଳ ଯାଇ ସାମଗ୍ରିକ ଘଟଣା ସମ୍ପର୍କରେ ଆଲୋକପାତ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ସେହିଭଳି ବ୍ଲକରେ ମଧ୍ୟ ପୌରଧ୍ୟକ୍ଷ ଶ୍ରୀଗୌଡଙ୍କ ଇସାରାରେ ବ୍ୟାପକ ଦୁର୍ନିତି ହେବା ସହ ବ୍ଲକ ଅଧ୍ୟକ୍ଷଙ୍କ ପାତରଅନ୍ତରର ସୀମା ଟପି ଯାଇଛି । ବାରମ୍ବାର ଜଣେ ଆଦିବାସୀ ମହିଳା ବିଡିଓଙ୍କୁ ବେଆଇନ ଓ ଦୁର୍ନିତି କରିବାକୁ ବାଧ୍ୟ କରାଯାଉଛି । ଏହାକୁ ବିଡିଓ ପ୍ରଶୟ ନ ଦେଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ବିଭିନ୍ନ ପ୍ରକାର ହାଇରାଣ କରାଯାଇଛି ଓତାଙ୍କ ସରକାରୀ ନିୟମ ପ୍ରକାର କାମ କରିବାକୁ ଶ୍ରୀଗୌଡଙ୍କ ଗୋଷ୍ଠି ବାଧକ ସୃଷ୍ଟି କରୁଛନ୍ତି ବୋଲି ବ୍ଲକ ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି । ବ୍ଲକ ଓ ପୌରସଂସ୍ଥା ଏତାଦୃଶ୍ୟ କାର୍ଯ୍ୟ ବରଦାସ୍ତ କରାଯିବ ନାହିଁ ବୋଲି ଚେତବାନୀ ଦେଇଛନ୍ତି । ରାୟଗଡା ଜିଲ୍ଲାପାଳଙ୍କ ଉଦ୍ଦ୍ୟେଶରେ ପୌରସଂସ୍ଥାର ଏଭଳି କାର୍ଯ୍ୟକଳାପ ପ୍ରତିବାଦରେ ନିର୍ବାହୀ ଅଧିକାରୀ ଓ ବ୍ଲକ ସମସ୍ୟା ନେଇ ଆସିଷ୍ଟାଣ୍ଡ କଲେକ୍ଟରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଇଟିଭି ଭାରତ, ରାୟଗଡା