ପୁରୀ: ସ୍ୱର୍ଗଦ୍ୱାରକୁ ସୁବ୍ୟବସ୍ଥିତ ଭାବରେ ପରିଚାଳନା କରିବା ପାଇଁ ରାଜ୍ୟ ସରକାର ସ୍ୱର୍ଗଦ୍ୱାର ସେବା ସମିତିକୁ ଅନୁମତି ପ୍ରଦାନ କରିଛନ୍ତି । ଏ ସଂକ୍ରାନ୍ତରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଗତ ମାସ ୨୭ ତାରିଖରେ ଏହାର ପତ୍ର ସଂଖ୍ୟା ୧୬୭୦୧ ମାଧ୍ୟମରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛନ୍ତି ।
ସୂଚନାଯୋଗ୍ୟ ଯେ, ସ୍ୱର୍ଗଦ୍ୱାର ସେବା ସମିତି ସୋସାଇଟି ରେଜିଷ୍ଟ୍ରେସନ ଆଇନ ଅନୁଯାୟୀ ଏକ ପଞ୍ଜୀକୃତ ଅନୁଷ୍ଠାନ ଯାହା ସ୍ୱର୍ଗଦ୍ୱାର ସୁପରିଚାଳନା ପାଇଁ ଆଗକୁ କାର୍ଯ୍ୟ କରିବ । ଏହି ସମିତିରେ ସର୍ବମୋଟ ୯ ଜଣ ସଦସ୍ୟ ରହିବାର ବ୍ୟବସ୍ଥା ରହିଛି । ଅଧ୍ୟକ୍ଷ ଭାବରେ ଜିଲ୍ଲାପାଳ ରହିଥିବାବେଳେ ଉପ ଜିଲ୍ଲାପାଳ ଆବାହକ ସମ୍ପାଦକ ଭାବରେ ରହିଛନ୍ତି । ସେହିପରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଜେନେରାଲ ମ୍ୟାନେଜର (ଓଡ଼ିଶା ବନ ଉନ୍ନୟନ), ପୌର ନିର୍ବାହୀ ଅଧିକାରୀ ଅନ୍ୟତମ ସଦସ୍ୟ ଭାବରେ ରହିବେ । ଜିଲ୍ଲା ପ୍ରୋଟୋକାଲ ଅଫିସର ଏହାର କୋଷାଧ୍ୟକ୍ଷ ଭାବରେ କାର୍ଯ୍ୟ କରିବେ । ସମିତି ଅଧ୍ୟକ୍ଷଙ୍କ ଦ୍ୱାରା ମନୋନୀତ ସାମାଜିକ କାର୍ଯ୍ୟ ସହ ଜଡିତ ଥିବା ୩ ଜଣ ବ୍ୟକ୍ତିବିଶେଷ ମଧ୍ୟ ଏହି ସମିତିର ସଦସ୍ୟ ରହିବେ । ସେମାନଙ୍କ କାର୍ଯ୍ୟକାଳ ଦୁଇବର୍ଷ ରହିବ ।
ପ୍ରକାଶ ଯୋଗ୍ୟ ସ୍ୱର୍ଗଦ୍ୱାର ବିକାଶ ପାଇଁ ରାଜ୍ୟସରକାର ୫କୋଟି ଟଙ୍କା ପ୍ରଦାନ କରିଛନ୍ତି । ଯାହାର ବିକାଶ ପ୍ରକ୍ରିୟା ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଦ୍ରୁତଗତିରେ ଚାଲିଛି । ଏହାର ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରାଇବା ସହିତ ମୃତଦେହକୁ ସମ୍ମାନ ଏବଂ ମୃତଦେହ ସହ ଆସୁଥିବା ପରିଜନ ମାନଙ୍କୁ ଯେପରି ଉତ୍ତମ ସେବା ପାଇଁ ପାରନ୍ତି, ସେଥିପାଇଁ ସ୍ୱର୍ଗଦ୍ୱାର ସେବା କେନ୍ଦ୍ର କାର୍ଯ୍ୟ କରୁଛି । ଆଗାମୀ ସମୟରେ ତାର ପରିଚାଳନା ଦାୟିତ୍ୱ ସ୍ୱର୍ଗଦ୍ୱାର ସେବା ସମିତି ହାତରେ ରହିବ । ସ୍ୱର୍ଗଦ୍ୱାର ସେବା ସମିତିର କାର୍ଯ୍ୟକାରୀ କମିଟି ସ୍ୱର୍ଗଦ୍ୱାରର ନିତିଦିନିଆ କାର୍ଯ୍ୟକୁ ତଦାରଖ କରିବେ । ସ୍ୱର୍ଗଦ୍ୱାର ସେବା ସମିତିକୁ ସ୍ୱର୍ଗଦ୍ୱାର ସୁପରିଚାଳନା କରିବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିବାରୁ ଖୁବ ଶୀଘ୍ର ପୁରୀ ପୌରପାଳିକା ଠାରୁ କାର୍ଯ୍ୟଭାର ଗ୍ରହଣ ପାଇଁ ପଦକ୍ଷପ ନିଆଯିବ ବୋଲି ପୁରୀ ଉପଜିଲ୍ଲାପାଳ ତଥା ସ୍ୱର୍ଗଦ୍ୱାର ସେବାସମିତିର ଆବାହକ ସମ୍ପାଦକ ଭଵତାରଣ ସାହୁ ଜଣାଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ