ପୁରୀ: ଫନି ବାତ୍ୟାକୁ ଦୀର୍ଘ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ଘରଭଙ୍ଗା ସହାୟତାରୁ ଏ ଯାଏଁ ବି ବଞ୍ଚିତ କ୍ଷତିଗ୍ରସ୍ତ । ପୁରୀ ଡେଲାଙ୍ଗ ବ୍ଲକର ଏପରି ଅନେକ କ୍ଷତିଗ୍ରସ୍ତ ସହାୟତାରୁ ବଞ୍ଚିତ ହୋଇଛନ୍ତି । ଯାହାକୁ ନେଇ ସମ୍ପୃକ୍ତ ହିତାଧିକାରୀମାନେ ବୁଧବାର ଡେଲାଙ୍ଗ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।
ପ୍ରଳୟଙ୍କାରୀ ବାତ୍ୟା ଫନିରେ ଡେଲାଙ୍ଗ ବ୍ଲକର ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ଆଜି ଯାଏଁ ବି ଅନେକ ଲୋକ ପାଲ ଟାଣି ରହୁଛନ୍ତି । ସେପଟେ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇବା ପାଇଁ ବ୍ୟବସ୍ଥା ରହିଥିଲେ ମଧ୍ୟ ସେଥିରୁ ବଞ୍ଚିତ ହୋଇଛନ୍ତି ହିତାଧିକାରୀ । ଏନେଇ ଫନି କ୍ଷୟକ୍ଷତି ହିତାଧିକାରୀ ମଞ୍ଚ ପକ୍ଷରୁ ଗଣଧାରଣା ଦିଆଯିବା ସହ ବ୍ୟାଙ୍କରେ ଅଚଳ ହୋଇଥିବା ଖାତାକୁ ସରଳ କରିବା ଏବଂ ବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ