ପୁରୀ: ରାଜ୍ୟସ୍ତରୀୟ ଖୋ ଖୋ ଚମ୍ପିଆନସିପ୍ ଉଦଘାଟିତ ହୋଇଛି । ପୁରୀ ତାଳବଣିଆ ସ୍ପୋର୍ଟ୍ସ ଗ୍ରାଉଣ୍ଡ ପରିସରରେ ୪ ଦିନିଆ ରାଜ୍ୟସ୍ତରୀୟ ୧୨ତମ ଜୁନିଅର ଓ ୧୬ତମ ସବ୍ ଜୁନିଅର ବାଳକ ଓ ବାଳିକା ବର୍ଗ ଖୋ ଖୋ ଚମ୍ପିଆନସିପ୍ ଉଦଘାଟିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ, କ୍ରୀଡ଼ା ବିଭାଗ ଓ ରାଜ୍ୟ ଖୋଖୋ ସଂଘର ମିଳିତ ସହଯୋଗରେ ଅନୁଷ୍ଠିତ ଏହି କ୍ରୀଡ଼ାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଏହାକୁ ଉଦଘାଟନ କରିଛନ୍ତି ।
କ୍ରୀଡା ପ୍ରତିଭାର ବିକାଶ ଦିଗରେ ଖୋ ଖୋ ଖେଳ ସହାୟକ ହୋଇ ପାରିବ ବୋଲି କହିଥିଲେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ । ସରକାର କ୍ରୀଡ଼ାକୁ ଅଗ୍ରାଧିକାର ଦେଇଛନ୍ତି । ଆମ ଜିଲ୍ଲାର କିଶୋର ଜେନା ଜାଭେଲିନ ଥ୍ରୋରେ ଏସିଆନ ଗେମସରେ ସଫଳତା ହାସଲ କରି ଯୁଵ ଵର୍ଗ ପାଇଁ ପ୍ରେରଣା ସାଜିଛନ୍ତି ବୋଲି ସେ କହିଥିଲେ । ରାଜ୍ୟ ଖୋ ଖୋ ସଂଘର ସଭାପତି ନାରାୟଣ ପାତ୍ର, ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ପୁରୀ ଜିଲ୍ଲା ଆଥଲେଟିକ ଆସୋସିଏସନର ପୂର୍ବତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ, ପୂର୍ବତନ ଉପ ସଭାପତି ରାମଚନ୍ଦ୍ର ଦାସ ମହାପାତ୍ର ଖୋ ଖୋ ପ୍ରତିଯୋଗିତାର ଲକ୍ଷ୍ୟ ଉଦ୍ଦେଶ୍ୟ, ଅତୀତରେ ତାହାର ସ୍ଥିତି ଓ ବର୍ତ୍ତମାନର ଉଜ୍ଜ୍ୱଳ ଅବସ୍ଥା ସମ୍ପର୍କରେ ଆଲୋକପାତ କରିବା ସହ ଆୟୋଜନରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଏହି ପ୍ରତିଯୋଗିତାର ଆୟୋଜନ ନେଇ ପୁରୀ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଥିଲେ ।
ଏହା ବି ପଢନ୍ତୁ...ଗୌରବ ଆଣିଲେ ଲାଞ୍ଜିଗଡର ଲାଲୁ, ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପରେ ନେବେ ଭାଗ
ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ କ୍ରୀଡ଼ା ପତାକା ଉତ୍ତୋଳନ କରିବା ସହ ପ୍ରତିଯୋଗିତା ଆରମ୍ଭର ଘୋଷଣା କରିଥିଲେ । ପୁରୀ ଖୋ ଖୋ ଦଳର ସଦସ୍ୟା ଅନନ୍ୟା ପ୍ରଧାନ ସମସ୍ତ କ୍ରୀଡ଼ାବିତଙ୍କୁ ଶପଥ ପାଠ କରାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ବିଭିନ୍ନ ଦଳର କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ସୂଚନାଯୋଗ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାର ୧୪ ବର୍ଷରୁ କମ ସବ ଜୁନିୟର ଦଳ ଓ ୧୮ ବର୍ଷରୁ କମ ଜୁନିୟର ଦଳର ପ୍ରାୟ ୧୨୦୦ ବାଳକ ବାଳିକା ଏଥିରେ ଅଂଶଗ୍ରହଣ କରିଛନ୍ତି । ୨୨ ତାରିଖ ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇ ଚମ୍ପିଆନ ଓ ରନର୍ସ୍ ଅପ ଦଳକୁ ପୁରସ୍କୃତ କରାଯିବ । ଏହି ପ୍ରତିଯୋଗିତାରୁ ମିଳିଥିବା ଶ୍ରେଷ୍ଠ ଖେଳାଳୀଙ୍କ ଦଳ ଡିସେମ୍ବର ମାସରେ କର୍ଣ୍ଣାଟକର ତିତପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଖୋ ଖୋ ଚମ୍ପିଆନସିପ୍ରେ ଅଂଶଗ୍ରହଣ କରିବେ ବୋଲି ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ପୁରୀ