ପୁରୀ: ଓଡିଶା ଜଗରନଟ୍ସ ଖୋ ଖୋ ଦଳ ଚଳିତ ବର୍ଷ ଅଗଷ୍ଟରେ ପୁନେରେ ଅନୁଷ୍ଠିତ ପ୍ରତିଯୋଗିତାରେ ଚମ୍ପିଆନ ହୋଇଥିଲା । ତେଣୁ ଖୋ ଖୋ ଖେଳକୁ ରାଜ୍ୟରେ ଅଧିକ ଲୋକ ପ୍ରିୟ କରିବା ଲକ୍ଷ୍ୟରେ ପୁରୀରେ ୫୫ ତମ ସିନିୟର ବର୍ଗର ଖୋ ଖୋ ଚମ୍ପିୟାନସିପ ଚଳିତ ମାସ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲା ହାଇସ୍କୁଲ ପରିସରରେ ଅନୁଷ୍ଠିତ ହେବ । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ।
ଖୋ ଖୋ ସଂଘର ରାଜ୍ୟ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ବିସ୍ତୃତ ସୂଚନା ଦେଇ ଖୋ ଖୋ ଖେଳ ଆୟୋଜନର ରୂପରେଖ ସମ୍ପର୍କରେ ମତ ଦେଇଥିଲେ । ଏହି ପ୍ରତିଯୋଗିତା ଜିଲ୍ଲା ହାଇସ୍କୁଲ ଠାରେ ନଭେମ୍ବର ୧୩ ତାରିଖ ଅପରାହ୍ନ ୫.୩୦ ମିନିଟ ସମୟରେ ଉଦଘାଟିତ ହେବ ଓ ୧୫ ତାରିଖ ସଂଧ୍ୟା ୭ ଘଟିକାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲା ସହ, କିଟ ବିଶ୍ବବିଦ୍ୟାଳୟ ଓ ପୁରୀ ଖୋ ଖୋ ସ୍ପୋର୍ଟ୍ସ ହଷ୍ଟେଲ ଅଂଶଗ୍ରହଣ କରିବେ ।
ଉଭୟ ପୁରୁଷ ଓ ମହିଳା ଦଳ ଏଥିରେ ପ୍ରତିନିଧିତ୍ଵ କରିବେ । ଜିଲ୍ଲା ହାଇସ୍କୁଲର ତିନୋଟି କୋର୍ଟରେ ମ୍ୟାଟ୍ ମାଧ୍ୟମରେ ଏହି ଖେଳ ହେବ । ଏହି ପ୍ରତିଯୋଗିତାରୁ ମିଳୁଥିବା ଶ୍ରେଷ୍ଠ ଖେଳାଳିଙ୍କ ଦଳ ଚଳିତ ମାସ ୨୦-୨୪ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରଠାରେ ଅନୁଷ୍ଠିତ ହେବାକୁ ଥିବା ୫୫ ତମ ଜାତୀୟ ଖୋ ଖୋ ଚମ୍ପିୟାନସିପରେ ଅଂଶଗ୍ରହଣ କରିବେ । ଉଭୟ ପୁରୁଷ ଓ ମହିଳା ଚମ୍ପିୟାନ ଦଳକୁ ୧୦ ହଜାର ଟଙ୍କା, ରନରସ୍ ଅପ ଦଳକୁ ୭ ହଜାର ଟଙ୍କା, ୟ ଓ ୪ର୍ଥ ଦଳକୁ ୫ ହଜାର ଟଙ୍କା ଲେଖାଏଁ ଓ ୩ ଜଣ ଶ୍ରେଷ୍ଠ ଖେଳାଳୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ପୁରସ୍କାର ଓ ଟ୍ରଫି ଦିଆଯିବ । ପୁରୀ ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ ଜିଲ୍ଲାରେ କ୍ରୀଡାକୁ ଆଗକୁ ନେବାକୁ ପଦକ୍ଷେପ ନିଆଯିବା ସହ ଏକାଧିକ ପ୍ରତିଯୋଗୀତା ଆୟୋଜନ କରାଯାଇ ଶ୍ରେଷ୍ଠ କ୍ରୀଡାବିତ ସୃଷ୍ଟି ଲକ୍ଷ୍ୟ ରହିଛି ବୋଲି କହିଥିଲେ ।
ଇଟିଭି ଭାରତ, ପୁରୀ