ପୁରୀ: ଚିହ୍ନବର୍ଣ୍ଣ ହରାଇ ଧ୍ବସ୍ତ-ବିଧ୍ବସ୍ତ, ବିପର୍ଯ୍ୟସ୍ତ ଓଡିଶା ଇତିହାସର ଅଭିନ୍ନ ଅଙ୍ଗ ସତ୍ୟବାଦୀର ବକୁଳବନ । ମାଟିରେ ଲୋଟୁଛି ଶହ ଶହ ଗଛ । ଅନାବନା ଗଛଲତାରେ ପରିପୂର୍ଣ୍ଣ ଚତୁଃପାର୍ଶ୍ବ । ବର୍ଷ ବର୍ଷ ଧରି ଏଭଳି ନିଜ ଚମକ ହରାଇ ଅବହେଳିତ ହୋଇପଡିଛି ପଣ୍ଡିତ ଗୋପବନ୍ଧୁ ଦାସ ଓ ପଞ୍ଚସଖାଙ୍କ ମଣିଷ ତିଆରି କାରଖାନା ।
ହେଲେ ଏସବୁକୁ ହୃଦୟଙ୍ଗମ କରି ପ୍ରକୃତିର ତାଡନାରେ ମଉଳି ପଡିଥିବା ଏହି ସ୍ଥାନର ପୁନଃରୁଦ୍ଧାର ପାଇଁ ପାଦ ବଢାଇଛନ୍ତି ରିୟଲ ଲାଇଫ ହିରୋ ସବ୍ୟସାଚୀ । ତାଙ୍କ ପ୍ରୟାସ ପରର ଚିତ୍ର ଆକର୍ଷଣୀୟ- ଉତ୍ସାହଜନକ । ସୋସିଆଲ ମିଡିଆରେ ତାଙ୍କର ଅପିଲ ପରେ ସ୍ଥାନୀୟ ସ୍ବେଚ୍ଛାସେବୀ ଓ ଯୁବକଙ୍କ ଉଦ୍ୟମରେ ପୁଣି ଉର୍ଜା ଫେରିପାଇଛି ଏହି ପବିତ୍ର ବିଦ୍ୟାପୀଠ ।
ଓଡିଆ ଜାତିର ସ୍ବାଭିମାନ ଏବଂ ଅସ୍ମିତାର ପରିଚୟ ବହନ କରୁଥିବା ଏହି ସ୍ଥାନର, ଗୁରୁତ୍ବ ସମ୍ପର୍କରେ ଜଣାଇବା ସହ ଆଜିଠାରୁ ଏଠାକାର ସୁରକ୍ଷା ଓ ସଂରକ୍ଷଣର ଯାତ୍ରା ଆରମ୍ଭ ପାଇଁ ଆହ୍ବାନ ଦେଇଛନ୍ତି ସବ୍ୟସାଚୀ । ସମସ୍ତେ ଆଗେଇ ଆସି ନିଜ ଶ୍ରମ ଦାନ ସହ ବୃକ୍ଷରୋପଣ ପାଇଁ ସେ କରିଛନ୍ତି ଅପିଲ । ତେବେ ସବ୍ୟଙ୍କ ଏଭଳି ତମାମ ବ୍ୟକ୍ତିଗତ ପ୍ରଚେଷ୍ଟା ଓ ନିଆରା ପ୍ରୟାସ ନିଶ୍ଚିତ ଭାବେ ଆଗକୁ ଗୁପ୍ତ ବୃନ୍ଦାବନ ବୋଲାଉଥିବା ଏହି ପ୍ରାଚୀନ କୀର୍ତ୍ତି ଆଡକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇବ ବୋଲି ଉଜ୍ଜୀବିତ ହୋଇଛି ଆଶା ଓ ବିଶ୍ବାସ ।
ତେବେ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ସହ ମଧ୍ୟ ଜଡିତ ଏହି ଐତିହ୍ୟ ସ୍ଥାନ । ପ୍ରତ୍ୟକ ବର୍ଷ ସ୍ନାନ ଓ ରଥଯାତ୍ରାରେ ଚତୁର୍ଦ୍ଧାମୂରତିଙ୍କ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ଏଠାରୁ ସେନାପଟା ଓ ବାହୁଟ ଯୋଗାଇଦିଆଯାଏ । ଏହା ବାଦ ଏହି ସ୍ଥାନ ସହ ଅନେକ ଐତିହାସିକ ଗାଥା ଓ ପାରମ୍ପିରିକ ସ୍ମୃତି ଜଡିତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ