ପୁରୀ: ପୁରୀର ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ । ପ୍ରତିବର୍ଷ ରଥଯାତ୍ରା ପାଇଁ କାଠର ଆବଶ୍ୟକତା ପଡିଥାଏ । ରଥରେ ବ୍ୟବହାର ଉପଯୋଗୀ କାଠ ଓ ଚନ୍ଦନ କାଠ ଯେଉଁ ବ୍ୟକ୍ତି ବିଶେଷମାନଙ୍କ ପାଖରେ ଅଛି ସେମାନେ ମହାପ୍ରଭୁଙ୍କ ସେବା ପାଇଁ ଦାନ କରିବାକୁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଡଃ ସୁରେଶ ଚନ୍ଦ୍ର ଦଳାଇ ଅନୁରୋଧ କରିଛନ୍ତି । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରଥକାଠ ଦାନ କରିବାକୁ ଭକ୍ତ ସମାଜକୁ ଅନୁରୋଧ କରିଛନ୍ତି ଆର୍ଡିସି ।
ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରତିବର୍ଷ ତିନିରଥ ନିର୍ମାଣ ହୋଇଥାଏ । ଏଥିପାଇଁ କାଠର ଆବଶ୍ୟକତା ପଡିଥାଏ । ରଥରେ ବ୍ୟବହାର ଉପଯୋଗୀ କାଠ ଓ ଚନ୍ଦନକାଠ ଯେଉଁ ବ୍ୟକ୍ତି ବିଶେଷଙ୍କ ପାଖରେ ରହିଛି ସେମାନେ ମହାପ୍ରଭୁଙ୍କ ସେବା ପାଇଁ ପ୍ରଦାନ କରିବାକୁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ସୁରେନ୍ଦ୍ର ଚନ୍ଦ୍ର ଦଳାଇ ଅନୁରୋଧ କରିଛନ୍ତି । ମଙ୍ଗଳବାର ସର୍କିଟ ହାଉସଠାରେ ଚଳିତ ବର୍ଷ ରଥଯାତ୍ରା ପାଇଁ ରଥକାଠ ଯୋଗାଣ ଓ ଆଗାମୀ ବର୍ଷ ମାନଙ୍କ ପାଇଁ ରଥ ନିର୍ମାଣ ପାଇଁ କାଠ ବ୍ୟବସ୍ଥା ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଆୟୁକ୍ତ ସୁରେନ୍ଦ୍ର ଚନ୍ଦ୍ର ଦଳାଇ ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ ବିଭିନ୍ନ ପ୍ରକାରର କାଠର ଆବଶ୍ୟକ ଥିବା ବେଳେ ପୂର୍ବ ବର୍ଷର ୫୩ ଖଣ୍ଡ ବଳକା କାଠ ଥିବାରୁ ଅବଶିଷ୍ଟ ୮୧୨ ଖଣ୍ଡ କାଠର ଆବଶ୍ୟକତା ରହିଛି ତେଣୁ ଯେଉଁ ବ୍ୟକ୍ତି ବିଶେଷଙ୍କ ପାଖରେ ରଥ ବ୍ୟବହାର କାଠ ରହିଛି ସେମାନେ ମହାପ୍ରଭୁଙ୍କ ସେବା ପାଇଁ ପ୍ରଦାନ କରିପାରିବେ ।
ରଥ କାଠର ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପର ବ୍ୟବସ୍ଥା ସହ ନିୟମିତ ଅନୁଧ୍ୟାନ କରାଯାଉଛି । ପ୍ରତ୍ୟେକ ଡିଏଫଓମାନେ ସେମାନଙ୍କ ଅଞ୍ଚଳକୁ ଅନୁଧ୍ୟାନ କରି ରଥକାଠ ଓ ଚନ୍ଦନ କାଠ ସମ୍ପର୍କରେ ଏକ ଡାଟାବେସ୍ ପ୍ରସ୍ତୁତ କରିବା, ଜଗନ୍ନାଥ ବନ ପ୍ରକଳ୍ପରେ ଯେଉଁ ଚାରା ମରି ଯାଇଛି ସେ ସ୍ଥାନରେ ଚାରାରୋପଣ କରିବା, ମାସିକ ଭାବେ ରଥକାଠର ଡାଟା ବେସ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଇବା ସମ୍ପର୍କରେ ଆୟୁକ୍ତ ପରାମର୍ଶ ଦେଇଥିଲେ । ଯେଉଁ ବ୍ୟକ୍ତି ବିଶେଷ ରଥ ନିର୍ମାଣ ପାଇଁ କାଠ ସ୍ବଇଚ୍ଛା ଦେଉଛନ୍ତି ସେମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ଓ ଏହାର ପ୍ରଚାର ପ୍ରସାର ପାଇଁ ଗୁରୁତ୍ୱ ଦେଇଥିଲେ । ଫଳରେ ଅଧିକ ବ୍ୟକ୍ତି ଶ୍ରୀଜିଉଙ୍କ ସେବାରେ ରଥକାଠ ଦାନ ପାଇଁ ଆଗ୍ରହ ପ୍ରକାଶ କରିବେ।
ଏହା ବି ପଢନ୍ତୁ...ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ
ସେହିପରି ଚନ୍ଦନ କାଠ ଦାନ କରିବାକୁ ଚାହୁଁ ଥିବା ଦାତାମାନଙ୍କୁ ସହଜ ଓ ସରଳ ପ୍ରକ୍ରିୟା ପାଇଁ ସହଯୋଗ କରିବାକୁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଡ ସୁରେନ୍ଦ୍ର ଦଳାଇ ଡିଏଫଓମାନଙ୍କୁ ପରାମର୍ଶ ଦେଇଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ରଥକାଠ ଦାତାମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଉଛି ବୋଲି ସୂଚନା ଦେବା ସହ ଆବଶ୍ୟକୀୟ ରଥକାଠ ଯୋଗାଣ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଏହା ବି ପଢନ୍ତୁ...ହବିଷ୍ୟାଳୀଙ୍କୁ ସୁବିଧା ଯୋଗାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ
ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ପୁରୀ ଡିଏଫଓ ପି.ରାମାସ୍ୱାମୀ, ଖୋର୍ଦ୍ଧା ଡିଏଫଓ ପୂର୍ଣ୍ଣିମା ପାଣ୍ଡିଆନ, ନୟାଗଡ଼ ଡିଏଫଓ କ୍ଷମା ଷଡ଼ଙ୍ଗୀ, ଭୁବନେଶ୍ୱର ସିଟି ଡିଏଫଓ ଅଜିତ ଶତପଥୀ, ଘୁମୁସର ଡିଏଫଓ ସୁଦର୍ଶନ ବେହେରା, ବୌଦ୍ଧ ଡିଏଫଓ ଦେବପ୍ରିୟ କାମ୍ପା, ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ଡେପୁଟି କଲେକ୍ଟର ପ୍ରିୟଦର୍ଶନୀ ମଲ୍ଲିକ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଇଟିଭି ଭାରତ, ପୁରୀ