ପୁରୀ: ଜିଲ୍ଲାର ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଓ ଏହାର ଚାରିପାଖକୁ ମୋ ଧାମ ମୋ ଗର୍ବ ଟିମ ବୁଲି ଦେଖିଛନ୍ତି । ପୁଷ୍କରିଣୀରେ ଅନେକ ଅବ୍ୟବସ୍ଥା ରହିଥିବା ବେଳେ ଆଗାମୀ 15 ଦିନ ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳ ବଲୱନ୍ତ ସିଂ ପୂର୍ତ୍ତବିଭାଗ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ନେତୃତ୍ବରେ ଜିଲ୍ଲା ପ୍ରଶାସନ, ପୌର ଓ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ପ୍ରମୁଖ ଅଧିକାରୀମାନେ ଇନ୍ଦ୍ରଦୁମ୍ନ ପୁଷ୍କରିଣୀ ଓ ଏହାର ଚାରିପାଖ ବୁଲି ଦେଖିଛନ୍ତି । ପୁଷ୍କରିଣୀର ବିଭିନ୍ନ ଅବ୍ୟବସ୍ଥା ସଂପର୍କରେ ସ୍ଥାନୀୟ ସାହି ନେତୃବୃନ୍ଦମାନଙ୍କ ସହ ଆଲୋଚନା କରିଛନ୍ତି । ସେମାନଙ୍କ ମତାମତ ଅନୁସାରେ ଗାଧୁଆ ତୁଠ, ପାହାଚ ଓ ପାଚେରୀ ମରାମତି କାମ, ଶୌଚାଳୟ ନିର୍ମାଣ ଓ ପୋଖରୀ ସଫା କାର୍ଯ୍ୟ ସହିତ ଆଗାମୀ 15 ଦିନ ମଧ୍ୟରେ ଶ୍ରାଦ୍ଧ ଓ ପିଣ୍ଡଦାନ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ପୂର୍ତ୍ତବିଭାଗ ନିର୍ବାହୀ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଏହାପରେ ମାଟିଆପଡା ଓ ଟିକରପଡା ଅଞ୍ଚଳ ପରିଦର୍ଶନ କରି ସଫେଇ ଅଭିଯାନ ସଂପର୍କରେ ମୋ ଧାମ ମୋ ଗର୍ବ ଟିମ ମତାମତ ଲୋଡିଛନ୍ତି । ଆସନ୍ତା ସପ୍ତାହକ ମଧ୍ୟରେ ଡ୍ରେନ ମରାମତି କାମ ଶେଷ ହେବ । ଏହି ଟିମରେ ପୌର ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ତେବେ ପ୍ରାତଃ ସମୟରେ ଜିଲ୍ଲାପାଳ ଗଦାଧର ହାଇସ୍କୁଲ ଓ ମୋଚିସାହିସ୍ଥିତ ଗାଡିଖାନା ପରିସରରେ ସ୍ବଚ୍ଛ ସୈନିକମାନଙ୍କ ପ୍ରାର୍ଥନା ସଭାରେ ଯୋଗ ଦେବା ସହ ସେମାନଙ୍କୁ ସ୍ବଚ୍ଛତାର ଶପଥ ପାଠ କରାଇଥିଲେ । ଏହାସହିତ ଅଳିଆକୁ ପୁରୀର ପବିତ୍ର ମାଟିକୁ ସ୍ପର୍ଶ ନ କରିବାକୁ ଦେବା ନିମନ୍ତେ ସେମାନଙ୍କୁ ପରାମର୍ଶ ଦେଇଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ