ପୁରୀ: ପିପିଲି ଉପନିର୍ବାଚନ ନେଇ ପୋଷ୍ଟାଲ ବାଲାଟ ପ୍ରକ୍ରିୟା ଆରମ୍ଭ । 80 ବର୍ଷରୁ ଊର୍ଦ୍ଧ୍ବ ବୟସର ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲାଟ ନେଇ ଯାଉଥିବା ଗାଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପିପିଲି ଅଭିମୁଖେ ବାହାରିଛି । ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୮ ହଜାର ୨୧୨ ଜଣ 80 ବର୍ଷରୁ ଅଧିକ ଏବଂ ଦିବ୍ୟାଙ୍ଗ ଭୋଟର ଥିବାବେଳେ ସେମାନଙ୍କ ମଧ୍ୟରୁ ଏକ ହଜାର ୭୭ ଜଣ ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି ।
ସେଥିମଧ୍ୟରୁ ଡେଲାଙ୍ଗରେ ୭୧୨ ଓ ପିପିଲିରେ ୩୬୫ ଜଣ ରହିଛନ୍ତି । 80 ବର୍ଷରୁ ଊର୍ଦ୍ଧ୍ବ ୯୦୯ ଜଣ ଓ ଦିବ୍ୟାଙ୍ଗ ଭୋଟର ୧୬୮ ଜଣ ରହିଛନ୍ତି । ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ୧୦୨ଟି ଗାଡି ବ୍ୟବସ୍ଥା କରାଯାଇ ଥିବାବେଳେ ମତଦାନ ଦିନ ସେମାନେ ରହୁଥିବା ସ୍ଥାନରୁ ସମ୍ପୃକ୍ତ ମତଦାନ କେନ୍ଦ୍ରକୁ ନେବା ଆଣିବାରେ ସହାୟକ ହେବ । ମତଦାନର ୭ଦିନ ପୂର୍ବରୁ ଯୋଗ୍ୟ ଦିବ୍ୟାଙ୍ଗ ଭୋଟରଙ୍କୁ ବାହାନ ପ୍ରମାଣପତ୍ର ବଣ୍ଟନ କରାଯିବ । ଏଥିସହ ବ୍ଲକ ମୁଖ୍ୟାଳୟରେ ମତଦାନ କେନ୍ଦ୍ରଗୁଡିକ ପାଇଁ ୩୪୮ଟି ହ୍ବିଲ ଚେୟାର ପ୍ରସ୍ତୁତ ରହିଛି । ଦିବ୍ୟାଙ୍ଗଙ୍କ ସହାୟତା ପାଇଁ ପ୍ରତ୍ୟେକ ବୁଥରେ ଦୁଇଜଣ ସ୍ବେଚ୍ଛାସେବୀ ନିୟୋଜିତ ରହିବେ । ଏଥିପାଇଁ ଜାତୀୟ ସେବା ସଂସ୍ଥା, ନେହେରୁ ଯୁବ କେନ୍ଦ୍ର, ସ୍ବୟଂ ସହାୟିକା ଗୋଷ୍ଠୀ, ବେସରକାରୀ ସଂସ୍ଥାର ସ୍ବେଚ୍ଛାସେବୀଙ୍କୁ ଚିହ୍ନଟ କରାଯିବ ।
ସେହିପରି ମତଦାନ ଦିନ ଭୋଟର ପରିଚୟପତ୍ର ନିଜ ସାଙ୍ଗରେ ଆଣିବାକୁ ଭୋଟରଙ୍କୁ ପରାମର୍ଶ ଦିଆଯାଇଛି । ଭୋଟର ପରିଚୟପତ୍ର ନଥିଲେ ଆଧାର କାର୍ଡ, ମହାତ୍ମା ଗାନ୍ଧୀ ମନରେଗା କାର୍ଡ, ନିଜ ଫୋଟ ଥିବା ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ ପାସବୁକ, ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦତ୍ତ ସ୍ବାସ୍ଥ୍ୟବୀମା କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାନ କାର୍ଡ, ଆରଜିଆଇ ପକ୍ଷରୁ ଜାରି ସ୍ମାର୍ଟ କାର୍ଡ, ଭାରତୀୟ ପାସପୋର୍ଟ, ଫଟୋଥିବା ପେନସନ କାଗଜପତ୍ର, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥାରେ କାର୍ଯ୍ୟରତ ପରିଚୟ ପତ୍ର, ସାଂସଦ ଓ ବିଧାୟକଙ୍କୁ ପ୍ରଦତ୍ତ ସରକାରୀ ପରିଚୟ ପତ୍ର ମଧ୍ୟରୁ ଯେ କୌଣସିକୁ ଭୋଟରମାନେ ପରିଚୟ ପତ୍ର ଭାବେ ଦେଖାଇ ପାରିବେ ବୋଲି ସୂଚନା ଦିଆଯାଇଛି । ଏତଦବ୍ୟତୀତ ପ୍ରାଥୀମାନେ ସଭା ଓ ଶୋଭାଯାତ୍ରା ସଂକ୍ରାନ୍ତୀୟ ବିଭିନ୍ନ ଅନୁମତି ପାଇଁ ଜିଲ୍ଲା ଜରୁରୀକାଳିନ କେନ୍ଦ୍ରକୁ ୧୯୫୦(ଦେୟମୁକ୍ତ) ମାଧ୍ୟମରେ ଯୋଗାଯୋଗ କରିପାରିବେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ