ପୁରୀ: ବଡ଼ଶଙ୍ଖରେ ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କାର ସୁନା ଲୁଟ କରିଛନ୍ତି ଦୁର୍ବୃତ୍ତ । ଲୁଟ ନେଇ କୁମ୍ଭାରପଡ଼ା ଥାନାରେ ଏତଲା ଦିଆଯିବା ପରେ ପୋଲିସ ତନାଘନା କରିଥିଲେ ମଧ୍ୟ ଲୁଟେରାଙ୍କ ଟେର ମିଳି ପାରିନାହିଁ । ତେବେ ଯେଭଳି ଭାବେ ପୋଲିସ ପରିଚୟ ଦେଇ ପୁନର୍ବାର ପୁରୀରେ ସୁନା ଲୁଟ ହୋଇଛି ଏହାକୁ ନେଇ ପୁରୀ ସହରରେ ଭୟର ବାତାବରଣ ଖେଳି ଯାଇଛି।
ଦୋଳ ମଣ୍ଡପ ସାହିର ଶରତ କୁମାର ନାୟକ ପ୍ରତିଦିନ ଭଳି ଗୁରୁବାର ବଡ଼ଶଙ୍ଖକୁ ଫୁଲ କିଣିବାକୁ ଯାଇଥିଲେ । ଏହି ସମୟରେ ସେହି ସ୍ଥାନରେ ଜଣେ ଯୁବକ ପୋଲିସ ପରିଚୟ ଦେଇ ସୁନା ଗହଣା ଏବେ ଚୋରି ହେଉଥିବା ହେତୁ ନ ପିନ୍ଧିବାକୁ ତାଗିଦ କରିଥିଲେ। ଏପରିକି ସୁନା ଚେନ ଓ ଗୋଟିଏ ମୁଦିକୁ ଶରତଙ୍କ ଠାରୁ ଓହ୍ଲାଇ ମେଡ଼ିକାଲ ଛକ ପୋଲିସ ଆଉଟ ପୋଷ୍ଟକୁ ଆସି ଜଣେ ଅଧିକାରୀଙ୍କ ସହ ଘରକୁ ଯିବା ପାଇଁ କହି ଡାକିଥିଲେ । ଶରତ ତାଙ୍କ ପଛେ ପଛେ ଯିବା ବେଳେ ଆଗରେ ଯାଉଥିବା ଦୁଇ ଜଣ ଯୁବକ ସୁନା ଚେନ ଓ ମୁଦି ନେଇ ବାଇକରେ ଫେରାର ହୋଇଯାଇଥିଲେ ।
ଦୁର୍ବୃତ୍ତମାନେ 15 ଗ୍ରାମ ସୁନା ଚେନ ଓ 14 ଗ୍ରାମ ସୁନା ମୁଦି ନେଇ ଯାଇଥିବା ଜଣାପଡିଛି । କୁମ୍ଭାରପଡ଼ା ଥାନାରେ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଗତ କିଛିଦିନ ପୂର୍ବରୁ ସମାନ ଢଙ୍ଗରେ ଦତ୍ତତୋଟା ଅଞ୍ଚଳରେ କିଛି ମହିଳାଙ୍କ ଠାରୁ ସୁନା ଲୁଟ ହୋଇଥିଲା । ଏକ ନିର୍ଦ୍ଦିଷ୍ଟ ଗ୍ୟାଙ୍ଗ ଏହି କାର୍ଯ୍ୟ କରୁଥିବା ସନ୍ଦେହ କରାଯାଉଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ