ପୁରୀ: ଆଜି ଠାରୁ ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ୭ ଦିନ ଧରି ଚାଲିବାକୁ ଥିବା ଏହି ଝୁଲଣ ଯାତ୍ରା ଅବସରରେ ଶ୍ରୀମନ୍ଦିର ସହ ପୁରୀର ମଠ ଗୁଡ଼ିକ ବେଶ ଚଳଚଞ୍ଚଳ ହୋଇ ଉଠିଛି । ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠଗୁଡ଼ିକରେ ଶହଶହ ବର୍ଷ ଧରି ଝୁଲଣ ଉତ୍ସବ ଆନନ୍ଦ ସହକାରେ ପାଳନ କରାଯାଇ ଆସୁଛି । ମଠବାଡ଼ି ଗୁଡ଼ିକ ଜରି ଜମ୍ବୁରା, ସୋଲ ଓ ବିଭିନ୍ନ ରଙ୍ଗୀନ କାଗଜରେ ଝୁଲଣ କୁଞ୍ଜ ନିର୍ମାଣ କରି ରାଧାକୃଷ୍ଣଙ୍କ ଦୋଳି ଖେଳର ଆୟୋଜନ କରିଛନ୍ତି । ମହାପ୍ରଭୁଙ୍କ ଝୁଲଣ ଯାତ୍ରା ଦେଖିବା ପାଇଁ ଆଜି ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି ।
ଗଜପତି ମହାରାଜା ଦିବ୍ୟସିଂହ ଦେବ (ଦ୍ୱିତୀୟ)ଙ୍କ ସମୟରେ ଏହା ଶ୍ରୀମନ୍ଦିରରେ ପ୍ରଥମେ ପାଳନ କରାଯାଇଥିଲା । ଶ୍ରୀମନ୍ଦିର ଭିତର ବେଢ଼ାର ଦକ୍ଷିଣ ପଟେ ମୁକ୍ତି ମଣ୍ଡପ ନିକଟରେ ଝୁଲଣ କୁଞ୍ଜ ନିର୍ମିତ ହୋଇଥାଏ । ୪୫ ଫୁଟ ଲମ୍ବ ଓ ପନ୍ଦର ଫୁଟ ଉଚ୍ଚତା ବିଶିଷ୍ଟ ଏହି କୁଞ୍ଜଟିର ଛାଞ୍ଚ କାଠରେ ହୋଇଥିବା ବେଳେ ଏହାକୁ ଜରି, ସୋଲ ଓ କପଡ଼ାରେ ସଜ୍ଜିତ କରାଯାଇଥାଏ । ଏହି ଝୁଲା ସହ ଗୋଟିଏ ଦଉଡ଼ି ଲାଗିଥାଏ । ଯାହାକୁ ଟାଣିଲେ ଝୁଲା ସହ ପ୍ରତିମା ତ୍ରୟ ଝୁଲନ୍ତି । ମଧ୍ୟାହ୍ନ ଧୂପ ନୀତି ପରେ ଶ୍ରୀମନ୍ଦିର ଦକ୍ଷିଣ ଘର ବାରଣ୍ଡାରେ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀଙ୍କୁ ବେଶ କରାଯାଇ ଭୋଗ ଅର୍ପଣ ହୁଏ । ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଦିଆଯିବା ପରେ ତିନିଜଣ ମହାଜନ ସେବକ (ବିମାନ ବଡୁ ସେବାୟତ) ପ୍ରତିମାମାନଙ୍କୁ ଜଗମୋହନ ଓ ବଟଦ୍ୱାର ଦେଇ ଝୁଲଣ କୁଞ୍ଜର ଭିତର ଝୁଲାରେ ବିଜେ କରାନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହରିଶୟନ ଏକାଦଶୀ ନୀତି, ଚାରିମାସ ପର୍ଯ୍ୟନ୍ତ ଶୁଭକାର୍ଯ୍ୟ ବନ୍ଦ
ଝୁଲଣରେ ପଞ୍ଚୋପଚାର ପୂଜା ଖଇକୋରା ଭୋଗ କରାଯିବା ପରେ ରତ୍ନ ସିଂହାସନସ୍ଥ ବିଗ୍ରହମାନଙ୍କର ଚନ୍ଦନଲାଗି ସମୟ ଯାଏ ପ୍ରତିମାମାନେ ଏହି ଝୁଲଣରେ ଅବସ୍ଥାନ କରନ୍ତି । ଏହା ପରେ ପିତୁଳା ଗୁଡ଼ିକୁ ଫେରାଇ ନିଆଯାଏ । ଏକାଦଶୀ ଦିନ ମଦନମୋହନଙ୍କ ବେଢ଼ା ପରିକ୍ରମା ସ୍ୱାଭାବିକ ଭାବରେ ଅନୁଷ୍ଠିତ ହୋଇ, ପରେ ଶ୍ରୀଦେବୀ ଓ ଭୂଦେବୀଙ୍କ ସହ ଝୁଲଣ ମଣ୍ଡପକୁ ବିଜେ କରାଯାଏ । ଶେଷଦିନ ଘଣ୍ଟି, ଶଙ୍ଖ ସହ ପଞ୍ଚୋପଚାର ପୂଜା ଓ ବନ୍ଦାପନା କରାଯିବା ପରେ ବେଢ଼ାବୁଲି ସିଂହାସନରେ ବିଜେ ହୁଅନ୍ତି । ସଙ୍ଗୀତ, ବାଦ୍ୟ ଓ ନୃତ୍ୟ ମୁଖର ଝୁଲଣ ଯାତ୍ରାରେ ସୁସଜ୍ଜିତ ଦୋଳିରେ ରାଧା ଦାମୋଦରଙ୍କୁ ଦର୍ଶନ କରିବାପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ପୁରୀରେ ଭିଡ଼ ଜମାନ୍ତି । କୀର୍ତ୍ତନ, ଭଜନରେ ମନ୍ଦିର ଉଲ୍ଲସିତ ହୋଇଉଠେ ।
ଇଟିଭି ଭାରତ, ପୁରୀ