ପୁରୀ: ଅର୍ବାନ ହାଟର ନାମକରଣ ବଦଳାଇ ଏହାକୁ ବିଜୁ ପଟ୍ଟନାୟକ ସଂଗ୍ରହାଳୟ ନାମରେ ନାମିତ କରିବାକୁ ଦାବି କରିଛି ଶ୍ରୀଜଗନ୍ନାଥ ସେନା । ଏହାସହ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଦୃଢ ଦାବି କରାଯାଇଛି ।
ପୁରୀ ସ୍ବର୍ଗଦ୍ବାରର ପ୍ରାୟ ଅଧ ଡେସିମିଲ୍ ଜାଗାରେ ହୋଇଥିବା ବିଜୁ ପଟ୍ଟନାୟକଙ୍କ ସମାଧି ହଟାଯିବା ପରେ ଖାଲି ହୋଇଥିବା ସ୍ଥାନରୁ ମାଟି ଓ ପାଉଁଶ ସଂଗ୍ରହ କରିଛି ଶ୍ରୀଜଗନ୍ନାଥ ସେନା। ଶନିବାର ସମାଧିସ୍ଥଳରୁ କଳସରେ ସଂଗୃହିତ ପାଉଁଶ ଓ ମାଟି ଧରି ଜଗନ୍ନାଥ ସେନାର କର୍ମୀମାନେ ପଦଯାତ୍ରାରେ ଅର୍ବାନ ହାଟକୁ ଆସି ରଖିଛନ୍ତି । ଅର୍ବାନହାଟ ମୁଖ୍ୟ ଫାଟକ ସମ୍ମୁଖରେ ବିଜୁ ପଟ୍ଟନାୟକ ସଂଗ୍ରହାଳୟ ପୋଷ୍ଟର ଲଗାଯାଇଛି।
ଏହି ସ୍ଥାନରେ ବିଜୁ ବାବୁଙ୍କ ସମାଧି, ପ୍ରତିମୂର୍ତ୍ତି ରହିବା ସହ କୋଲକୋତାର ବିମାନ ବନ୍ଦରରେ ଥିବା ଡାକୋଟା ବିମାନକୁ ଅଣାଯାଇ ଏଠାରେ ରଖିବା, ତାଙ୍କ ଜୀବନୀ ସନ୍ଦେଶ, ଲାଇଟ୍ ଏବଂ ମ୍ୟୁଜିକ ବ୍ୟବସ୍ଥା ପାଇଁ ଦାବି କରିଛି ସେନା । ରାଜ୍ୟ ସରକାର 1 ମାସ ମଧ୍ୟରେ ଅର୍ବାନହାଟକୁ ବିଜୁ ପଟ୍ଟନାୟକ ସଂଗ୍ରହାଳୟ ନ କଲେ ଶ୍ରୀଜଗନ୍ନାଥ ସେନା ଲୋକଙ୍କ ଠାରୁ ସହାୟତା ନେଇ ବିଜୁ ସଂଗ୍ରହାଳୟ କରିବ ବୋଲି କହିଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ