ପୁରୀ: ଜିଲ୍ଲା ସତ୍ୟବାତୀରେ 5ସଚିବ ଭିକେ ପାଣ୍ଡିଆନଙ୍କୁ ଗତକାଲି (ଶନିବାର) କାଳିମାଡ ହୋଇଥିଲା । ଘଟଣାରେ ଅଟକ ଥିବା ଭାସ୍କର ସାହୁଙ୍କୁ ପୁରୀ ପୋଲିସ ଛାଡି ଦେଇଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ଲେଖାପଢା କରି ଅଟକ ଭାସ୍କର ସାହୁଙ୍କୁ ଛାଡି ଦେଇଥିବା ସୂଚନା ମିଳିଛି ।
ଭାସ୍କର ସାହୁଙ୍କ ବଡଭାଇଙ୍କ ବ୍ୟକ୍ତିଗତ ମୁଚାଲିକା ପରେ ପୁରୀ ପୋଲିସ ତାଙ୍କୁ ଛାଡି ଦେଇଛି । ସତ୍ୟବାଦୀ ଗୋପବନ୍ଧୁ ମହାବିଦ୍ୟାଳୟ (ୟୁଜିଏସ୍) କଲେଜ ପଡିଆରେ 5ଟି ସଚିବ ଭିକେ ପାଣ୍ଡିଆନ ଏକ ସଭାରେ ଯୋଗ ଦେବାକୁ ଯାଉଥିବା ସମୟରେ ତାଙ୍କୁ କାଳିମାଡ଼ ହୋଇଥିଲା । ଭାସ୍କର ସାହୁ କାଳିମାଡ କରିଥିବାରୁ ତାଙ୍କୁ ପୋଲିସ ଅଟକ ରଖିଥିଲା । ଭାସ୍କର ସାହୁଙ୍କ ଘର କଣାସ ବ୍ଲକ ବଡାଲ ପଞ୍ଚାୟତର ହରିପୁର ଗ୍ରାମରେ । ସେ ଏଲଆଇସି ଏଜେଣ୍ଟ ଭାବରେ କାମ କରନ୍ତି ।
ସେପଟେ ୫ଟି ସଚିବଙ୍କ ଉପରକୁ କାଳିମାଡ଼ ପ୍ରସଙ୍ଗକୁ ସମର୍ଥନ କରିଛନ୍ତି ଭାସ୍କର ସାହୁଙ୍କ ପତ୍ନୀ । ସେ କହିଛନ୍ତି, ''କାଳିମାଡ଼ କରି ମୋ ସ୍ବାମୀ କିଛି ଭୁଲ କରିନାହାନ୍ତି । ବିରକ୍ତି ମନୋଭାବରେ ସେ ଏଭଳି କାମ କରି ଥାଇପାରନ୍ତି ବୋଲି କହିବା ସହିତ ତାଙ୍କ ସ୍ଵାମୀ ଜଣେ ସମାଜସେବୀ ସେ ଲୋକଙ୍କ ସମସ୍ୟା ନେଇ ଅନେକ ଥର ଅଫିସରଙ୍କ ଦ୍ବାରସ୍ଥ ହୋଇ ନିରାଶ ହେବା ପରେ ଏଭଳି କାମ କରିଛନ୍ତି । ସେ କଣାସ ଅଞ୍ଚଳରେ ବିଭିନ୍ନ ସାମାଜିକ କାମ ସହିତ ଦୟା, ଗଙ୍ଗୁଆ ନଦୀର ସୁରକ୍ଷା ପାଇଁ ବିଭିନ୍ନ ସଙ୍ଗଠନ ସହିତ କାମ କରି ଆସୁଥିବା ବେଳେ ଅଫିସର ଲୋକଙ୍କ ସମସ୍ୟା ସମାଧାନ କରିବା ଦିଗରେ ପଦକ୍ଷେପ ନେଇ ନଥିବାରୁ ସେ ଏଭଳି କରିଛନ୍ତି । ପ୍ରଶାସନ ସ୍ଵାମୀକୁ ସସମ୍ମାନେ ଛାଡ଼ନ୍ତୁ ।''
ଏହା ବି ପଢନ୍ତୁ...ପୁରୀ ସତ୍ୟବାଦୀରେ 5T ସଚିବ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼, ଅଭିଯୁକ୍ତ ଗିରଫ
ପ୍ରକାଶ ଥାଉ କି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5ଟି ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟ ଗସ୍ତ କରୁଛନ୍ତି । ଗତକାଲି (ଶନିବାର) ପୁରୀ ଜିଲ୍ଲା ଗସ୍ତ କରିଥିବା ବେଳେ ସତ୍ୟବାଦୀ ଗୋପବନ୍ଧୁ ମହାବିଦ୍ୟାଳୟ (ୟୁଜିଏସ୍) କଲେଜ ପଡିଆରେ 5ଟି ସଚିବ ଭିକେ ପାଣ୍ଡିଆନଙ୍କୁ କାଳିମାଡ଼ ହୋଇଥିଲା । କାଳିମାଡ ଘଟଣାରେ ଅଭିଯୁକ୍ତ ଭାସ୍କର ସାହୁ ନାମକ ଯୁବକଙ୍କୁ ଅଟକ ରଖିଥିଲା ପୋଲିସ । ଏହି ଘଟଣାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ବାକଯୁଦ୍ଧ ହୋଇଥିଲା । ଦୁଇ ଦଳ ପରସ୍ପର ଉପରେ ଦୋଷ ଲଦି ଥିବାବେଳେ କଂଗ୍ରେସ ଏହାକୁ ବିଜେଡି ପ୍ରାୟୋଜକ ବୋଲି କହିଥିଲା ।
ଇଟିଭି ଭାରତ, ପୁରୀ