ପୁରୀ: ଜିଲ୍ଲାର ଗୋପ ଅଞ୍ଚଳରେ ବାପା ଓ ସାବତ ମାଆ ମିଶି ଝିଅକୁ ହତ୍ୟା କରି ପୋଡ଼ି ଦେବା ଘଟଣା (Woman burns step Daughter at Gop of Puri) । ମଙ୍ଗଳବାର ପୋଲିସ ବାପାକୁ ଗିରଫ କରିଛି (Gop Police arrests father)। ସେପଟେ ସାବତ ମାଆ ଓ ମାମୁଁ ଫେରାର ଥିବାରୁ ପୋଲିସ ସେମାନଙ୍କୁ ଖୋଜିବାକୁ ପ୍ରୟାସ ଜାରି ରଖିଥିବା କହିଛି । ଗତକାଲି ମୃତ ଝିଅର ବଡ଼ ଭଉଣୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପାଉଁଶ ଜବତ କରି ତଦନ୍ତ ଆରମ୍ଭ କରିଥିଲା ।
ଗତକାଲି ମୃତ ଝିଅ ମୋନାଲି ମହାରଣାର ବଡ଼ ଭଉଣୀ ରଶ୍ମିତା ମହାରଣା ଚାଞ୍ଚଲ୍ୟକର ଅଭିଯୋଗ ଆଣିଥିଲେ । ତେବେ ଗୋପ ପୋଲିସ ଶ୍ମଶାନକୁ ଯାଇ ମୃତ ଝିଅର ପାଉଁଶ ଜବତ କରି ତଦନ୍ତ ଜାରି ରଖିଛି । ଗୋପ ବ୍ଳକ ବନ୍ତୁଳିଗା ପଞ୍ଚାୟତ ବିଜିପୁର ଗାଁର ଦୁର୍ଗାଚରଣ ମହାରଣାଙ୍କ ପ୍ରଥମ ସ୍ତ୍ରୀ ଗତ ୨୦୧୮ରେ ମୃତ୍ୟୁବରଣ କରିବା ପରେ ତାଙ୍କର ଦୁଇଟି ଝିଅ ରଶ୍ମିତା ଓ ମୋନାଲି। ପରିବାରର ଆର୍ଥିକ ଅବସ୍ଥା ଖରାପ ଥିବାରୁ ବଡ଼ ଭଉଣୀ ରଶ୍ମିତା କୋଲକାତାରେ ଏକ ଘରୋଇ ଅଫିସରେ କାର୍ଯ୍ୟ କରି ସାନ ଭଉଣୀଙ୍କୁ ପାଠ ପଢାଉଥିଲେ ।
ଏହା ବି ପଢନ୍ତୁ-ଝିଅକୁ ମାରି ପୋଡ଼ି ଦେଲା ସାବତ ମା' ! ପାଉଁଶ ଜବତ କରି ପୋଲିସର ତଦନ୍ତ ଆରମ୍ଭ
ସାନ ଭଉଣୀ ମୋନାଲି ଗୋପ ମହାବିଦ୍ୟାଳୟରେ +୩ର ଶେଷ ବର୍ଷରେ ପାଠ ପଢୁଥିଲେ। ବାପା ଦୁର୍ଗାଚରଣ ୨୦୨୦ରେ ଦ୍ବିତୀୟ ବିବାହ କରିବା ପରେ ସାନ ଝିଅ ମୋନାଲି ଉପରେ ଅତ୍ୟାଚାର ଆରମ୍ଭ କରି ଦେଇଥିଲା ସାବତ ମାଆ । ମୋନାଲି ସବୁବେଳେ ଫୋନ ଯୋଗେ ବଡ ଭଉଣୀ ରଶ୍ମିତାଙ୍କୁ ଏହି ଅତ୍ୟାଚାର କଥା କହି ଆସୁଥିଲେ । ତେବେ ଗତ ୭ ତାରିଖ ରାତ୍ରିରେ ମୋନାଲିଙ୍କୁ ତାଙ୍କ ସାବତ ମାଆ ମମତା ଓଝା ଓ ସାବତ ମାଙ୍କ ଭାଇ ଜୀବନ ଓଝା ମିଶି ହତ୍ୟା କରି ପୋଡ଼ିଥିବା ନେଇ ଅଭିଯୋଗ ହୋଇଥିଲା ।
ଏହି ଅପରାଧିକ କାଣ୍ଡ ପରେ ପ୍ରମାଣ ଲୁଚାଇବା ପାଇଁ ଉଭୟ ଶ୍ମଶାନକୁ ଧୋଇ ଦେଇଥିଲେ । ଏ ସମ୍ପର୍କରେ ରଶ୍ମିତାଙ୍କୁ ଗାଁ ଲୋକେ ଫୋନ ଯୋଗେ ଜଣାଇବା ପରେ ବଡ଼ ଭଉଣୀ ରଶ୍ମିତା ଘରକୁ ଆସି ସାନ ଭଉଣୀକୁ ଖୋଜାଖୋଜି କରିଥିଲେ । ମାତ୍ର ନ ମିଳିବା ପରେ ସେ ଶ୍ମଶାନକୁ ଯାଇ ଯାଞ୍ଚ କରିଥିଲେ । ସେଠାରୁ ଆସି ଗୋପ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ବଡ଼ ଭଉଣୀ ରଶ୍ମିତାଠାରୁ ଅଭିଯୋଗ ପାଇବା ପରେ ଗୋପ ପୋଲିସ ଶ୍ମଶାନକୁ ଯାଇ କିଛି ପାଉଁଶ ଓ ଅସ୍ଥି ସଂଗ୍ରହ କରିବା ସହ ସାଇଣ୍ଟଫିକ ଟିମ ଡକାଇ ତଦନ୍ତ ଆରମ୍ଭ କରିଥିଲା ।
ଇଟିଭି ଭାରତ, ପୁରୀ