ପୁରୀ: ପାରିବାରିକ କଳହର କରୁଣ ପରିଣତି । ନିଶାଶକ୍ତ ଅବସ୍ଥାରେ ହିତାହିତ ଜ୍ଞାନ ଭୁଲିଗଲା ପୁଅ । ଶେଷରେ ବାପାକୁ ଶତ୍ରୁ ଭାବି ଜୀବନ ନେଲା ପିତୃହନ୍ତା । ନିଶାଶକ୍ତ ଅବସ୍ଥାରେ ବାପାକୁ ଠେଙ୍ଗାରେ ବାଡେଇ ବାଡେଇ ହତ୍ୟା କରିଛି ପୁଅ । ଏଭଳି ହତ୍ୟାକାଣ୍ଡ ଘଟିଛି ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ । ମୃତକ ହେଲେ ହୃଷୀକେଶ ପ୍ରଧାନ। ତାଙ୍କ ସାନ ପୁଅ ଜିତୁ ତାଙ୍କୁ ଠେଙ୍ଗାରେ ବାଡେଇ ବାଡେଇ ହତ୍ୟା କରିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ହତ୍ୟାକାରୀ ପୁଅକୁ ପୋଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମୃତ ହୃଷୀକେଶ ପ୍ରଧାନଙ୍କ ଦୁଇ ପୁଅ ଅଛନ୍ତି । ଜିତୁ ହୃଷୀକେଶଙ୍କ ସାନ ପୁଅ। ସେ ଏକ ଟ୍ରାକ୍ଟର ଡ୍ରାଇଭର । ଜିତୁ ସବୁ ବେଳେ ମଦ ପିଇ ଘରକୁ ଆସେ । ଯାହାକୁ ବାପା ହୃଷୀକେଶ ବିରୋଧ କରନ୍ତି । ଏହାକୁ ନେଇ ପୂର୍ବରୁ ଅନେକ ଥର ବାପା ଓ ପୁଅ ମଧ୍ୟରେ ବଚସା ମଧ୍ୟ ହୋଇଛି । ସବୁଦିନ ପରି ଗତକାଲି ମଧ୍ୟ ଜିତୁ ନିଶା ଖାଇ ଘରକୁ ଆସିଥିଲା ଯାହାକୁ ନେଇ ବାପା ଓ ପୁଅ ମଧ୍ୟରେ ଝଗଡା ହୋଇଥଲା । ପରବର୍ତ୍ତୀ ସମୟରେ ଏହି ଝଗଡା ଉଗ୍ରରୂପ ନେଇଥିଲା । ଜିତୁ ଉତକ୍ଷିପ୍ତ ହୋଇ ବାପାକୁ ନିସ୍ତୁକ ମାଡ ମାରିବା ସହ ଏକ କୁରାଢିରେ ହାଣି ହତ୍ୟା କରିଥିଲା । ପରେ ଘଟଣା ସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ଜିତୁକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ ।
ସେପଟେ ପିପିଲି ଥାନା ଅଧିକାରୀ ଅଭିମନ୍ୟୁ ନାୟକ କହିଛନ୍ତି ଯେ, ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ହୋଇଛି । ଗତକାଲି ରାତିରେ ଜିତୁ ଘରକୁ ଆସିଥିଲା । ଏହାପରେ କୌଣସି କାରଣକୁ ନେଇ ବାପା ପୁଅଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ମଦ୍ୟପାନ କରିଥିବା ଜିତୁ ନିଜର ହିତାହିତ ଜ୍ଞାନ ହରାଇ ବାପା ହୃଷିକେଶ ପ୍ରଧାନଙ୍କୁ ଏକ ଠେଙ୍ଗାରେ ଆକ୍ରମଣ କରିଥିଲା । ଠେଙ୍ଗାରେ ନିସ୍ତୁକ ମାଡ ମାରିବାରୁ ବାପା ହୃଷିକେଶଙ୍କ ମୃତ୍ୟୁ ହୋଇଛି । ତେବେ ଜିତୁ ପୋଲିସ ଅଟକ ରଖିଥିବା ବେଳେ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଠେଙ୍ଗାକୁ ପୋଲିସ ଜବତ କରିଛି ।
ତେବେ ମଦ୍ୟପାନ କେତେ ଭୟଙ୍କର ହୋଇପାରେ ତାହା ହୃଷୀକେଶଙ୍କୁ ହତ୍ୟା ଘଟଣାରେ ପ୍ରମାଣିତ ହୋଇଛି। ମଣିଷ ନିଶା ଖାଇଲେ ସବୁ ହିତାହିତ ଜ୍ଞାନ ଭୁଲି ଯାଇଥାଏ । ନିଶା ଖାଇବା ପରେ ସମ୍ପର୍କ ମଧ୍ୟ ଭୁଲିଯାଏ ମଣିଷ । ଆଜିର ଦିନରେ ଯୁବପିଢି ନିଶାର ଶିକାର ହୋଇ ଅନେକ ଅପରାଧ ଘଟାଉଛନ୍ତି । ନିଶା ଅନେକଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେଉଥିବା ବେଳେ ଅପରାଧ ମଧ୍ୟ ବଢିଚାଲିଛି ।
ଇଟିଭି ଭାରତ,ପୁରୀ