ପୁରୀ: ପୁଣି ଶ୍ରୀମନ୍ଦିରରୁ ଖସିଲା ପଥର । ବେହରଣ ଦ୍ୱାର ଓ ମୁଦଲି ଦ୍ୱାର ମଝିରେ ତଥା ଜେଟିପି ଚର୍ଚ୍ଚାମାନେ ବସୁଥିବା ସ୍ଥାନରେ ପଥର ପଡ଼ିଥିବା ଦେଖିବାକୁ ମିଳିଛି । ପଥରଟି ପ୍ରାୟ ଦେଢ ଫୁଟ ଲମ୍ବର ହୋଇଥିବା ବେଳେ ପ୍ରାୟ ତିନିକେଜି ଓଜନର ହୋଇଥିବା କୁହାଯାଉଛି । ତେବେ ଜଗମୋହନର ଦକ୍ଷିଣ ପୂର୍ବ ଦିଗରେ ଥିବା ଜେଟିପି ଚର୍ଚ୍ଚା ଘର ଉପରୁ ଖସିଛି । ଚାରିଦିନ ତଳେ ସେବାୟତ ମାନେ ପଥର ଖସିବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିଲେ । ପ୍ରଶାସନ ଏହି ପଥରକୁ ଏଏସଆଇକୁ ହସ୍ତାନ୍ତର କରିଛି ।
ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି," ପଥରଟି ଶ୍ରୀମନ୍ଦିରର ଜଗମୋହନର ଦକ୍ଷିଣ ପୂର୍ବ ଦିଗରେ ଥିବା ଜେଟିପି ଚର୍ଚ୍ଚା ଘର ଉପରୁ ଖସିଛି । ଗତ ଦିପାବଳୀ ଦିନ ଏହି ଘଟଣା ଘଟିଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସଆଇକୁ ଅବଗତ କରାଯାଇଛି ।" ତେବେ ଶ୍ରୀମନ୍ଦିରର ରକ୍ଷଣା ବେକ୍ଷଣରେ ଏଏସଆଇର ଅବହେଳାକୁ ନେଇ ସେବାୟତ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି । ଶ୍ରୀମନ୍ଦିର ସର୍ବପୁରାତନ ମନ୍ଦିର ହୋଇଥିବାରୁ ଧିରେ ଧିରେ ପଥର ଦୁର୍ବଳ ହୋଇଯାଇଛି । ମାଙ୍କଡମାନେ ସେହିସ୍ଥାନରେ ଡେଉଁ ଥିବାରୁ ଦୁର୍ବଳ ପଥର ଭାଙ୍ଗି ଖସିପଡୁଛି ବୋଲି ପୁର୍ବରୁ ଏଏସଆଇ ଅଧିକାରୀ କହିଛନ୍ତି । ତେବେ ଦୀପାବଳୀ ସମୟରେ ପଥର ଖସିଥିବା ବେଳେ ଏଯାଏଁ ପଥର ଖସିଥିବା ସ୍ଥଳ ଏଏସଆଇ ପକ୍ଷରୁ ଅନୁଧ୍ୟାନ କରାନଯିବା ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ: ଶ୍ରୀମନ୍ଦିର ଗର୍ଭଗୃହରୁ ଖସିଲା ପ୍ଲାଷ୍ଟର, ASI କରିବ ଅନୁଧ୍ୟାନ
ସେପଟେ ଗତକିଛି ଦିନ ତଳେ ରତ୍ନବେଦୀ ପଛପଟରୁ ଚୂନ ପ୍ଲାଷ୍ଟର ଖସିଥିଲା । କିନ୍ତୁ ତାହାର ମରାମତି କରାଗଲା ନାହିଁ । ପୁଣି ଏବେ ମଧ୍ୟ ସେହିପରି ଏଏସଆଇ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି । ତେବେ କାର୍ତ୍ତୀକ ମାସ ପରେ ଏହାର ମରାମତି ହେବ ବୋଲି ଏଏସଆଇ ପକ୍ଷରୁ ସୂଚନା ମିଳିଛି ।
ସୂଚନା ଥାଉକି, ଶ୍ରୀମନ୍ଦିର ଗର୍ଭଗୃହ ରତ୍ନବେଦିରେ ବଡ ଠାକୁର ବଳଭଦ୍ରଙ୍କ ପଛପଟୁ ପ୍ଳାଷ୍ଟର ଖଣ୍ଡ ଖସିଥିଲା । ଏହାର ଓଜନ ପାଖାପାଖି ଏ କିଲୋ ହେବ । ଖସି ପଡିଥିବା ଖଣ୍ଡକୁ ନେଇ ନାନା କଳ୍ପନାଜଳ୍ପନା କରାଯାଉଥିଲା । ପ୍ଳାଷ୍ଟର ଖଣ୍ଡକୁ ଠାବ କରାଯାଇ ରଖାଯାଇଛି । ଏହା ପଥର ନୁହେଁ ପ୍ଳାଷ୍ଟର ହୋଇଥିବା ପ୍ରଶାସନ କହିଛି । ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରା କରିବା ପରେ ଏଏସଆଇ ଓ ବିଶେଷଜ୍ଞ ଟିମ୍ ଦ୍ବାରା ଗର୍ଭଗୃହ ଯାଞ୍ଚ ହେବା ସହ ମରାମତି କରାଯାଇଥିଲା । ତେବେ ଯେଉଁ ମରାମତି କାର୍ଯ୍ୟ କରାଯାଇଥିଲା ସେଥିପାଇଁ ପ୍ଲାଷ୍ଟର ଖସିଥିବା ଅନୁମାନ କରାଯାଉଛି । ସେପଟେ ପ୍ଲାଷ୍ଟର ଖସିବାକୁ ନେଇ ଶ୍ରୀଅଙ୍ଗ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା।
ଇଟିଭି ଭାରତ, ପୁରୀ